Categories: ଖେଳ

ପ୍ରଥମ ଟେଷ୍ଟ: ୪୩୧ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌; ଦ୍ୱିତୀୟ ଇନିଂସରେ ଭାରତ ୧୦୨/୧

ବିଶାଖାପାଟଣା,୫।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ସ୍ଥାନୀୟ ଏସିଏ-ବିଡିସିଏ ଷ୍ଟାଡିଏମ୍‌ରେ ଖେଳାଯାଉଛି। ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୫୦୨ ରନ୍‌ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଏହାର ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୪୩୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛନ୍ତି। ଫଳରେ ଭାରତକୁ ୭୧ରନ୍‌ର ଅଧିକ ସ୍କୋର ମିଳିଛି। ଶନିବାର ଦ୍ୱିତୀୟ ପାଳି ଆରମ୍ଭ କରି ଭାରତ ଗୋଟିଏ ଓ୍ବିକେଟ ବିନିମୟରେ ୧୦୨ ରନ୍‌ କରିଛିି। ଚେତେଶ୍ୱର ପୂଜାରା ୩୮ ରନ୍‌ ଏବଂ ରୋହିତ ଶର୍ମା ୫୬ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏବେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୧୭୩ରନ୍‌ରେ ଅଗ୍ରଣୀ ରହିଛି।

ଦକ୍ଷିଣଆଫ୍ରିକା ପ୍ରଥମ ପାଳିରେ ୪୩୧ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ୍‌ ତଥା ଓପନର୍‌ ଏଲଗାର ୨୭ରନ୍‌ରୁ ଖେଳ ଆରମ୍ଭ କରି ୧୬୦ରନର ବୃହତ ଶତକୀୟ ଇନିଂସ ଖେଳିଥିଲେ। ସେ ୨୮୭ ବଲ୍‌ରେ ୧୮ ଚଉକା ଲଗାଇଥିଲେ। ସେହିଭଳି ଡିକକ୍‌ ୧୧୧ରନ,ଡୁପ୍ଲେସି ୫୫ରନ କରିଥିଲେ। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ରଖିବାକୁ ଯାଉଥିବା ସ୍କୋର ପ୍ରଥମ ଟେଷ୍ଟର ଭାଗ୍ୟ ନିର୍ଦ୍ଧାରିତ କରିବ ବୋଲି କୁହାଯାଉଛି।

Share