ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ। ପାକିସ୍ତାନ ଖବରକାଗଜ ଡନର ସୂଚନା ଅନୁଯାୟୀ, ଇମ୍ରାନଙ୍କ ସହ ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ଜଭେଦ ବାଜଓ୍ବା, ଇଣ୍ଟର ସର୍ଭିସେସ୍‌ ଇଣ୍ଟଲିଜେନ୍ସ(ଆଇଏସ୍‌ଆଇ)ର ମହାନିର୍ଦ୍ଦେଶକ ପୌଜ ହମିଦ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଅବଦୁଲ ରଜାକ ଦାଉଦ ଇମ୍ରାନଙ୍କ ସହ ଆମେରିକା ଗସ୍ତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଇମ୍ରାନ ୩ ଦିନିଆ ଗସ୍ତରେ ଯାଇଛନ୍ତି। ଆମେରିକାରେ ଏବେ ଉପସ୍ଥିତ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ନିଜେ ଆସି ଇମ୍ରାନଙ୍କୁ ପାଛୋଟି ନେଇଛନ୍ତି। ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ସହ ସାକ୍ଷାତ୍‌ ସମୟରେ ଇମ୍ରାନ୍‌ ଆଫଗାନିସ୍ତାନ ଓ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠାକୁ ନେଇ କଥା ହେବେ।

Share