ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା

ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ ଧର୍ମସ୍ଥଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ଚଳିତ ବର୍ଷ ଆସାମର ଶକ୍ତିପୀଠ କାମାକ୍ଷା ମନ୍ଦିରରେ ଆମ୍ବୁବାଚି ମେଳା ଅନୁଷ୍ଠିତ ହେବ ନାହିଁ। ୨୨ରୁ ୨୬ ଜୁନ ମଧ୍ୟରେ ହେଉଥିବା ଏହି ମେଳାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ୨୨ରୁ ୨୫ ଜୁନ୍‌ ମନ୍ଦିରକୁ ବନ୍ଦ ରଖାଯାଇଥିାଏ। ଏହାପରେ ୨୬ ଜୁନରେ ଶୁଦ୍ଧିକରଣ ପରେ ମନ୍ଦିର ଖୋଲା ଯାଇଥାଏ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଳାକୁ ବନ୍ଦ କରିଦିଆଯିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ୫୦୦ ବର୍ଷରେ ମଧ୍ୟରେ ଚଳିତ ଥର ଏହି ମେଳାକୁ ବନ୍ଦ କରାଯାଇଥିବା ମନ୍ଦିରର ମୁଖ୍ୟ ପୂଜକ ମୋହିତ ଶର୍ମା ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ ସମସ୍ତ ପୂଜା ସମ୍ପନ୍ନ ହେବ। ତେବେ ବାହାରର କୌଣସି ଲୋକଙ୍କୁ ଏଠାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଥିବା ଧର୍ମଶାଳା, ହୋଟେଲରେ ବୁକିଂ ନ କରିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ନିର୍ମାଣ ୧୫ ଶତାବ୍ଦୀରେ ହୋଇଥିବା କୁହାଯାଏ।

Share