ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ନଜର ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମୁକାବିଲା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ସୂଚନା ପ୍ରଦାନ କରୁଛନ୍ତି। ହେଲେ ଭିଡିଓରେ ତାଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳୁ ନ ଥିଲା। ଇତିମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକମାନଙ୍କୁ ସଚେତନ କରିବାକୁ ଯାଇ ମାସ୍କ ପିନ୍ଧୁଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧୁ ନ ଥିବାକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଥିଲେ। ଶେଷରେ ବୁଧବାର ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିଥିବା ଦେଖାଯାଇଛି। ରାଜ୍ୟର ୬,୭୮୯ ପଞ୍ଚାୟତର ସରପଞ୍ଚଙ୍କୁ ଶପଥ ପାଠ କରାଇବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, କରୋନା ସଂକ୍ରମଣକୁ ରୋକିବା ଦିଗରେ ସଚେତନ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ବିଶେଷକରି ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକମାନଙ୍କୁ କୁହାଯାଉଛି। ଏହାକୁ ଉଲ୍ଲଂଘନ କଲେ ଜରିମାନା ଆଦାୟ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନଜିର ରହିଛି।

Share