ପ୍ରଥମ ଥର ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିଲା

କଟକ ଅଫିସ, ୧୬।୧୦:ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିବାର ନଜିର ନ ଥିବାବେଳେ ମଙ୍ଗଳବାର ପ୍ରଥମ ଥର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିଛନ୍ତି। ଓକିଲ ସଂଘଗୁଡ଼ିକର ଆନ୍ଦୋଳନ ଯୋଗୁ ଅଦାଲତରେ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ଦର୍ଶାଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାଏର ହୋଇଥିଲା। ସୋମବାର ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରିଙ୍କ ସହ ଅନ୍ୟ ୧୪ଜଣ ବିଚାରପତିଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଉକ୍ତ ମାମଲାରେ ହାଇକୋର୍ଟ ବାର୍‌ ଆସୋସିଏଶନ ସମେତ ରାଜ୍ୟର ସମସ୍ତ ବାର୍‌ ଆସୋସିଏଶନକୁ ନୋଟିସ ଜାରି କରାଯାଇଛି। ନୋଟିସର ଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖରେ ହେବ ବୋଲି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କ ସମେତ ୧୩୬ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରାଯାଇଛି।
ସୂଚନାଯୋଗ୍ୟ, ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ବିରୋଧ କରିଛି। ଓଡ଼ିଶା ହାଇକୋର୍ଟରେ ୨ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ସୁପାରିସକୁ ନେଇ ସୋମବାର ବାର୍‌ ଆସୋସିଏଶନର ଏକ ବୈଠକ ବସି କୋର୍ଟ ବର୍ଜନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ମଙ୍ଗଳବାର ହାଇକୋର୍ଟର ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି। ବୁଧବାର ଆସୋସିଏଶନର ଏକ ବୈଠକ ବସି ଏହି ନିଷ୍ପତ୍ତି ଉପରେ ପୁଣି ଆଲୋଚନା କରାଯିବ।

Share