ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୮୧ରେ ଦଶମ ପାସ୍ କରିବା ପରେ କେନ୍ଦ୍ରାପଡା କଲେଜରେ ପଢିଥିଲି। ସେଠାରୁ ଓଡିଆ ଅନର୍ସରେ ବିଏ ସରିବା ପରେ ବାଣୀବିହାରରେ ପିଜି କଲି। ପିଜି ପରେ ରାଉରକେଲାରେ ଥିବା ବଡ଼ ଭଉଣୀଙ୍କ ଘରେ ରହି ସ୍ଥାନୀୟ ଏକ ବେସରକାରୀ କଲେଜରେ ଓଡିଆ ଅଧ୍ୟାପିକା ଭାବେ କାମ କରିବାକୁ ଲାଗିଲି। ତା’ସହିତ ସେଠାରେ ଥିବା ଏକ ଭୋକେଶନାଲ୍ ଟ୍ରେନିଂ ସ୍କୁଲ୍ରେ ବି ପିଲାଙ୍କୁ ଓଡିଆ ପଢାଉଥିଲି। ଏଥିରୁ ଯାହା ସ୍ବଳ୍ପ ରୋଜଗାର ହେଉଥିଲା ତାହା ମୋ ହାତଖର୍ଚ୍ଚରେ ସରୁଥିଲା। ଏମିତି ବର୍ଷେ ବିତିବା ପରେ ସୁନ୍ଦରଗଡ଼ର ଡୁଡୁକା ଅଞ୍ଚଳରେ ଥିବା ଭେସଜ ପଟେଲ କଲେଜରେ ମୋତେ ଅଧ୍ୟାପିକା ଚାକିରି ମିଳିଲା। ସେତେବେଳେ ଏହି କଲେଜଟି ସେମିଗଭର୍ନମେଣ୍ଟ ଥିଲା। ତେଣୁ ମାତ୍ର ୫୨୫ ଟଙ୍କା ଦରମାରେ ମୋ ଚାକିରି ଜୀବନ ଆରମ୍ଭ ହେଲା। ସ୍ବଳ୍ପ ହୋଇଥିଲେ ବି ପ୍ରଥମ ମାସର ଦରମା ହାତରେ ଧରିଲା ପରେ ଯେଉଁ ଖୁସି ମୋତେ ମିଳିଥିଲା ତାହା ଥିଲା ଅବର୍ଣ୍ଣନୀୟ। ହେଲେ ଘରଠାରୁ ଦୂରରେ ରହୁଥିବାରୁ (ଚାକିରି ସ୍ଥାନରେ) ବାପା ଓ ବୋଉଙ୍କ ହାତରେ ଦରମା ଟଙ୍କା ଦେବାର ସୌଭାଗ୍ୟ ପାଇ ନ ଥିଲି। ତେଣୁ ସେହି ଟଙ୍କାରୁ କିଛି ନେଇ ଠାକୁରଙ୍କ ପାଖେ ଆଗେ ଭୋଗ କଲି। ବାକି ଯାହା ବଳିଥିଲା ସେଥିରେ ସାନ ଭାଇ, ବଡ଼ ଭଉଣୀ ଓ ପୁତୁରାମାନଙ୍କ ପାଇଁ ଛୋଟ ଛୋଟ ଉପହାର କିଣି ଅତି ଉତ୍ସାହର ସହ ଛୁଟିକି ଅପେକ୍ଷା କରି ରହିଥିଲି ଘରକୁ ଯିବାପାଇଁ। ୟା’ ଭିତରେ ଦୀର୍ଘ ୨୯ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ମୁଁ ଏବେ ସେହି ଭେସଜ ପଟେଲ କଲେଜରେ ସେମିତି ଅଛି। ଅବଶ୍ୟ ୧୯୯୪ରୁ ଚାକିରି ରେଗୁଲାର୍ ହେବା ପରେ ମାତ୍ର ୩ ବର୍ଷ ପାଇଁ ମହର୍ଷି କଲେଜକୁ ମୋର ବଦଳି ହୋଇଥିଲା। ହେଲେ ତା’ପରେ ପୁଣି ଏହି କଲେଜକୁ ପଳେଇ ଆସିଥିଲି। ଏବେ ପ୍ରମୋଶନ ପାଇ ଅଧ୍ୟାପିକାରୁ ପ୍ରାଧ୍ୟାପିକା ବି ହୋଇଗଲିଣି। ମୋଟା ଅଙ୍କର ଦରମା ମଧ୍ୟ ପାଉଛି, କିନ୍ତୁ ସେହି ପ୍ରଥମ ମାସର ସ୍ବଳ୍ପ ଦରମା ପାଇବାର ଖୁସିକୁ ଏବେ ବି ଝୁରି ହେଉଛି। ଚାକିରି ଜୀବନ ବାଦ୍ ଗପ ଓ କବିତା ଲେଖିବାରେ ମଧ୍ୟ ମୋର ରୁଚି ରହିଛି। ନବମ ଶ୍ରେଣୀରେ ପଢିଲାବେଳେ ଗୀତିକବିତା, ଭଜନ ଆଦି ଲେଖୁଥିଲି। କ୍ରମେ ଗୀତ ଲେଖିବାର ଧାରା ବଦଳିଥିଲା। ସେହିପରି କଲେଜରେ ପଢିବା ସମୟରେ କଲେଜ ମାଗାଜିନ୍ ପାଇଁ ‘ଅଲିଭା ସ୍ମୃତି’ ନାମକ ଏକ ଗପ ଲେଖିଥିଲି। ବାସ୍ ତା’ପରଠୁ ଗପ ଲେଖା ମୋର ଚାଲିଲା। ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ମୋ ଗପଗୁଡ଼ିକ ପର୍ଯ୍ୟବସିତ। ଅନ୍ୟପକ୍ଷେ ସମାଜର ବିଭିନ୍ନ ରୂପରେଖ ତଥା ରୋମାଣ୍ଟିକ୍ ଭାବଧାରାକୁ ନେଇ ମୁଁ କବିତା ଲେଖିଥାଏ। ୟା’ଭିତରେ ଅନେକ ଖବରକାଗଜ ତଥା ମାଗାଜିନ୍ରେ ମୋର ବହୁ ଗପ ଓ କବିତା ପ୍ରକାଶ ପାଇସାରିଲାଣି। ତା’ଛଡ଼ା ‘ଅମୃତ ରୂପା’ ନାମରେ ଏକ କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଲାଣି। ସେହିପରି ‘ସୁର୍’ ନାମକ ଏକ ସାମାଜିକ ତଥା ସାଂସ୍କୃତିକ ଅନୁ୍ଷ୍ଠାନର ମୁଁ ଏବେ ଜଣେ ସଦସ୍ୟା। ଏହି ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ଭଜନ ସନ୍ଧ୍ୟା, କବିତା ଆସର ଆଦି ଆୟୋଜନ କରାଯାଇଥାଏ, ଯେଉଁଥିରେ ମୁଁ ମଞ୍ଚ ସଂଯୋଜନା କରିବାର ମୁଖ୍ୟ ଦାୟିତ୍ୱ ତୁଲାଇଥାଏ। ଶେଷରେ କେବଳ ଏତିକି କହିବି, ଆଜି ମୁଁ ଯେଉଁ ସ୍ଥାନରେ ଆସି ପହଞ୍ଚତ୍ଛି ତା’ ପଛରେ ଠାକୁରଙ୍କର, ମୋ ଗୁରୁଜନମାନଙ୍କର ତଥା ମୋ ସ୍ବାମୀଙ୍କର ଖୁବ୍ ସ୍ନେହାର୍ଶୀବାଦ ରହିଛି।
-ଜୟନାରାୟଣ ମେଣ୍ଡୁଳ