Categories: ଫୁରସତ

ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ

ସୁନ୍ଦରଗଡ଼ର ଦଲ୍‌ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍‌.ଏ ଓ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଇଥିଲି। ୫୨୫ ଟଙ୍କା ଥିଲା ମୋର ପ୍ରଥମ ଦରମା। ଦରମାଟିକୁ ଆଣି ମୋ ଆଦରର ମା’ ହାତରେ ଦେଇଥିଲି। ସେଦିନ ମା’ ବହୁତ ଖୁସି ହେବା ସହିତ ମୋ ମୁଣ୍ଡକୁ ଆଉଁସି ମୋତେ ଖୁବ୍‌ ଆଶୀର୍ବାଦ କରିଥିଲା। ଆଉ ତାରି ଆଶୀର୍ବାଦ ପାଇ ସମାଜରେ ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ଗଢ଼ିବା ସହ ଖୁବ୍‌ ଶାନ୍ତିରେ ଅଛି। ଅବଶ୍ୟ ୟା’ଭିତରେ ମୋତେ ଅନେକ ଭଲ ଭଲ ସ୍ଥାନରୁ ଚାକିରି ଅଫର୍‌ ମିଳିଛି, କିନ୍ତୁ ସରଗିପାଲି ମହାବିଦ୍ୟାଳୟରୁ ମୁଁ ଯେହେତୁ ମୋର କ୍ୟାରିୟର ଆରମ୍ଭ କରିଥିଲି ତେଣୁ ତାକୁ ଛାଡ଼ି ଅନ୍ୟତ୍ର ଯାଇ ଅଧ୍ୟାପନା କରିବାକୁ ଉଚିତ ମଣିନି, ଯଦ୍ଦ୍ବାରା ଏବେ ବି ସେହି ମହାବିଦ୍ୟାଳୟରେ ମୁଁ ଅଧ୍ୟାପନା କରୁଅଛି। ତା’ସହିତ ‘କାବ୍ୟଶିଳ୍ପୀ ରମାକାନ୍ତ ରଥ: ଏକ ଅଧ୍ୟୟନ’ ବିଷୟ ଉପରେ ରିସର୍ଚ୍ଚ କରି ୨୦୧୩ରେ ମୁଁ ପିଏଚ୍‌.ଡି ଡିଗ୍ରୀ ହାସଲ କରିସାରିଛି। ଏହାଛଡ଼ା ନିଜସ୍ବ ଚେଷ୍ଟା ବଳରେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌ କିଛିପାଦ ଆଗେଇ ପାରିଛି। ଏମ୍‌ଏ ପଢ଼ିବା ସମୟରେ କବିତା ଓ ପ୍ରବନ୍ଧ ଲେଖୁଥିଲି। ସେବେଠାରୁ ଏହି ଲେଖାଲେଖିର ଧାରା ମୋର ସେମିତି ଚାଲିଛି। ୟା’ଭିତରେ ୧୯ଟି ପ୍ରବନ୍ଧ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତନ୍ମଧ୍ୟରୁ ‘ଆଧୁନିକ ଓଡ଼ିଆ କାବ୍ୟ କବିତା: ପ୍ରତିଟି ଓ ପ୍ରତ୍ୟୟ’, ‘ଆଧୁନିକ ଓଡ଼ିଆ କାବ୍ୟଧାରା: ଜୀବନ ଓ ସୃଜନ’, ‘ସାହିତ୍ୟର ପାରାବାର’, ‘ସାହିତ୍ୟ ସ୍ରୋତ’, ‘ଆଧୁନିକ ଓଡ଼ିଆ କାବ୍ୟ ଓ କବିତାର ଧରା ଏବଂ ଧାରା’, ‘ଯୁଗ ଚେତନାର କବି ବିନୋଦ ଚନ୍ଦ୍ର ନାୟକ’, ‘କବିତାର ଦୃଷ୍ଟି ଓ ଦିଗନ୍ତ: କବି ସୌଭାଗ୍ୟବନ୍ତ’ ଇତ୍ୟାଦି ପ୍ରବନ୍ଧ ପୁସ୍ତକ ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ବି ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଏହି ଲେଖାଲେଖି ପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ବହୁ ସମ୍ବର୍ଦ୍ଧନା ଓ ପୁରସ୍କାର ବି ମିଳିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ମୁଁ ଜଣେ ପୂର୍ବତନ ସଦସ୍ୟ ଆଉ ଏବେ କଟକର ଓଡ଼ିଶା ଗବେଷଣା ପରିଷଦ, ରାଉରକେଲାର ପ୍ରଗତି ଉତ୍କଳ ସଂଘ, ସୁନ୍ଦରଗଡ଼ର ଜିଲା ଲେଖକ ସାମ୍ମୁଖ୍ୟ ପରି ଅନେକ ସାହିତ୍ୟାନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଉଅଛି। ଉଭୟ ଅଧ୍ୟାପନା ଓ ଲେଖାଲେଖିରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଛି ଆଉ ଭଗବାନଙ୍କ କୃପାରୁ ଏହି ଧାରା ମୋର ସେମିତି ଜାରି ରହୁ ବୋଲି ଆଶା କରୁଛି।

Share