ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ନାମଲେଖା ଶେଷ ପରେ ମଧ୍ୟ ଆହୁରି ୧୫ହଜାର ୫୭୭ ସିଟ୍‌ ଖାଲି ପଡ଼ିଛି। ଏଣୁ ଆଉ ଦୁଇ ଦିନରେ ଏତେ ସଂଖ୍ୟକ ସିଟ୍‌ ପୂରଣ ହେବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି । ଗଞ୍ଜାମ ଜିଲାରେ ୧୩୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ)ରେ ଚଳିତ ବର୍ଷ ନାମଲେଖା ଚାଲିଛି। ଏହି ସବୁ କଲେଜଗୁଡ଼ିକରେ ମୋଟ ୪୨ହଜାର ୬୯୦ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୬ହଜାର ୯୭୭ ସିଟ୍‌ ପୂରଣ ହୋଇଥିଲା। ସୋମବାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ସୁଦ୍ଧା ୨୭ହଜାର ୧୧୩ ସିଟ୍‌ ପୂରଣ ହୋଇଛି। କଳାରେ ୧୯ହଜାର ୭୭୭ଟି ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୬ହଜାର ୩୪୧ ସିଟ୍‌ ପୂରଣ ହୋଇଥିଲା। ସୋମବାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ମାତ୍ର ୧୩୬ ସିଟ୍‌ ପୂରଣ ହୋଇପାରିଛି। ଫଳରେ ଆହୁରି ୩ହଜାର ୩୨୭ ସିଟ୍‌ ଫାଙ୍କା ପଡ଼ିଛି। ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ ରହିଛି । ପ୍ରଥମ ପର୍ଯ୍ୟାୟରେ ୮ହଜାର ୨୧୭ ସିଟ୍‌ ପୂରଣ ହୋଇଥିଲା ।
ସୋମବାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ମାତ୍ର ୩୭ ସିଟ୍‌ ପୂରଣ ହୋଇଛି ।
ଫଳରେ ଆହୁରି ୮ହଜାର ୬୭୫ ସିଟ୍‌ ଫାଙ୍କା ପଡ଼ିଛି। ବାଣିଜ୍ୟରେ ୫ହଜାର ୧୮୪ ସିଟ୍‌ ରହିଛି । ପ୍ରଥମ ପର୍ଯ୍ୟାୟରେ ୨ହଜାର ୯୨ ସିଟ୍‌ ପୂରଣ ହୋଇଥିଲା । ସୋମବାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କେହି ନାମ ଲେଖାଇ ନାହାନ୍ତି । ବରଂ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟରେ ନାମ ଲେଖାଇଥିବା ଦୁଇଜଣ ଆବେଦନକାରୀ, ନାମଲେଖା ପ୍ରତ୍ୟାହାର କରି ଅନ୍ୟ ବିଷୟରେ ନାମ ଲେଖାଇଛନ୍ତି । ଫଳରେ ଦୁଇଟି ସିଟ୍‌ କମିଯାଇଛି । ୩ହଜାର ୯୪ ସିଟ୍‌ ଖାଲି ପଡ଼ିଛି। ସେହିଭଳି ସଂସ୍କୃତରେ କେହି ନାମ ଲେଖାଇ ନାହାନ୍ତି। ଧନ୍ଦାମୂଳକ ଶିକ୍ଷାରୁ ୮ଜଣ ନାମଲେଖା ପ୍ରତ୍ୟାହାର କରି ଅନ୍ୟ ବିଷୟରେ ନାମଲେଖାଇଛନ୍ତି ।

Share