ପ୍ରଥମ ଦିନରେ ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ବିଚ୍ଛିନ୍ନ ହେଲା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ପୂର୍ବ ଘୋଷଣା ଅନୁଯାୟୀ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି। ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବାରୁ ସେମାନଙ୍କ ବିଦ୍ୟୁତ୍‌ କାଟ କରାଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ସେସୁ ଗଠନ କରିଥିବା ୫୩୩ ସ୍ବତନ୍ତ୍ର ସ୍କ୍ବାଡ୍‌ ୨୪୭ ସେକ୍ସନ ଅଧୀନରେ ଥିବା ୧୩,୪୧୧ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇଥିଲେ। ସେଥିରୁ ୧୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବେଳେ ୫.୩୮ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ସେସୁ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହାଛଡ଼ା ସେସୁ ୩୯୭୧ ଉପଭୋକ୍ତାଙ୍କ ଠାରୁ ବିଲ୍‌ରେ ତ୍ରୁଟିଥିବା ନେଇ ଆପତ୍ତି ପାଇଛି। ୨୦୧୯ ଡିସେମ୍ବର ୧୦ ତାରିଖରେ ସେସୁ କର୍ତ୍ତୃପକ୍ଷ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ ନ କଲେ ୨୦୨୦ ଜାନୁୟାରୀ ୧୬ ତାରିଖରୁ ଲାଇନ କଟାଯିବ ବୋଲି ଘୋଷଣା କରିଥିଲେ।

Share