Categories: ଖେଳ

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ ୪୮ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଇଶାନ କିସାନଙ୍କ ନେତୃତ୍ୱାଧୀନ ଭାରତ-ଏ ୫ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଶନିବାର ଏଠାରେ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା-ଏ ପୂର୍ବରୁ ୨ ମ୍ୟାଚ୍‌ବିଶିଷ୍ଟ ଅନ୍‌ଅଫିସିଆଲ ଟେଷ୍ଟ ସିରିଜକୁ ୨-୦ରେ ହାରିଥିଲା।
ଯୋଗୁ ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ୪୨ ଓଭରବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ-ଏ ଡାହାଣହାତୀ ଓପନର୍‌ ଗାଏକ୍ୱାଡଙ୍କ ଅପରାଜିତ ୧୮୭ ରନ (୧୩୬ ବଲ୍‌, ୨୬ ଚୌକା, ୨ ଛକା) ବଳରେ ନିର୍ଦ୍ଧାରିତ ଓଭରରେ ୪ ଉଇକେଟ୍‌ ହରାଇ ୩୧୭ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନ୍‌ମୋଲପ୍ରୀତ୍‌ ସିଂ ୬୫ ଓ ଅଧିନାୟକ ଇଶାନ ୪୫ ରନ୍‌ କରିଥିଲେ। ଶ୍ରୀଲଙ୍କା-ଏ ପକ୍ଷରୁ ଲାହିରୁ କୁମାରଙ୍କୁ ୩ଟି ଉଇକେଟ୍‌ ମିଳିଥିଲା। ଜବାବରେ ଶ୍ରୀଲଙ୍କା-ଏ ଶେହାନ ଜୟସୁରିୟା (୧୦୮ ରନ)ଙ୍କ ଅପରାଜିତ ଶତକ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦସୁନ ଶନକା ୪୪, ଇଶାନ ଜୟରତ୍ନେ ୨୦*, ଅଧିନାୟକ ଅଶନ ପ୍ରିୟଞ୍ଜନ ୨୯ ଓ ନିରୋଶାନ ଡିକ୍‌ଓ୍ବେଲା ୧୯ ରନ କରିଥିଲେ। ଭାରତ ପକ୍ଷରୁ ମୟଙ୍କ ମାର୍କଣ୍ଡେ ସର୍ବାଧିକ ୨ଟି ଉଇକେଟ୍‌ ନେଇଥିଲେ। ଶତକୀୟ ଇନିଂସ ଲାଗି ରୁତୁରାଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

Share