ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର ପ୍ରଥମ ଦେଖାରେ ପ୍ରେମ ହୋଇଯାଏ ବୋଲି ଶୁଣିବାକୁ ମିଳିଛି ହେଲେ କେବେ ଦେଖିଛନ୍ତି ପ୍ରଥମ ଦେଖାରେ ବିବାହ କରିବା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଦୁର୍ଗାପୂଜା ଦେଖି ଆସିଥିବା ଯୁବକ ଯୁବତୀ ପ୍ରଥମ ଦେଖାରେ ହିଁ ଦୁହେଁଦୁହିଁଙ୍କୁ ନିଜର ଜୀବନ ସାଥୀ କରିଥିଲେ। ଆଉ ଏହି ବିବାହରେ ଶହ ଶହ ଲୋକ ସାଜିଥିଲେ ବରଯାତ୍ରୀ। ସୂଚନାଯୋଗ୍ୟ, ହୁଗୁଳି ଜିଲା ହିନ୍ଦ ମୋଟରର ସୁଦୀପ ଘୋଷାଲ ଓ ଶେଉରାଫୁଲିର ପ୍ରତୀମା ବାନାର୍ଜୀ ୩ ମାସ ପୂର୍ବରୁ ଫେସ୍‌ବୁକ୍‌ରେ ବନ୍ଧୁ ହୋଇଥିଲେ। ଏହାପରେ ଦୁଇ ଜଣ ସାକ୍ଷାତକାର କରିବା ପାଇଁ ଯୋଜନା କରିଥିଲେ। ହେଲେ ରବ ନେ ବନାଦି ଯୋଡି ଭଳି ଦୁର୍ଗାଷ୍ଟମୀ ଦିନ ସନ୍ଧ୍ୟାରେ ଭାଗ୍ୟବଶତଃ ଦୁଇଜଣ ଗୋଟିଏ ପେଣ୍ଡାଲକୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ।

ସେଠାରେ ଦୁଇଜଣଙ୍କର ପ୍ରଥମ ଥର ଦେଖାହୋଇଥିଲା। ପ୍ରତୀମାଙ୍କୁ ଦେଖି ସୁଦୀପ ସେହି ମଣ୍ଡପରେ ସମସ୍ତଙ୍କ ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯୁବକଙ୍କ ଏଭଳି ଢ଼ଙ୍ଗରେ ଦେଇଥିବା ପ୍ରସ୍ତାବକୁ ମନାକରିପାରି ନ ଥିଲେ ପ୍ରତିମା। ଏହାପରେ ମାତ୍ର ୪ ଘଣ୍ଟା ମଧ୍ୟରେ ସେହି ମଣ୍ଡପରେ ଦୁଇଜଣଙ୍କର ବିବାହ ହୋଇଥିଲା। ଦୁଇଜଣଙ୍କ ଏଭଳି ବିବାହ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share