ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା କଡ଼ାକଡ଼ି ପ୍ରସଙ୍ଗ: ବିରୋଧ ପରେ ମନ୍ତ୍ରୀ କହିଲେ ‘ବିଚାର କରାଯିବ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା କଡ଼ାକଡ଼ି କରାଯିବାକୁ ଛାତ୍ରୀଛାତ୍ରମାନେ ବିରୋଧ କରିବା ପରେ ସରକାର ନରମିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଆଶ୍ୱାସନା ଦେଇ କହିଛନ୍ତି, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ପିଲା ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହଁନ୍ତି ସେ ନେଇ ବିଚାର କରାଯିବ। ଏ ବର୍ଷ ପାସ୍‌ଫେଲ ବ୍ୟବସ୍ଥା ଲାଗୁ ନ କରାଯିବା ନେଇ ସରକାର ବିଚାର କରିବେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପୂର୍ବରୁ ଯୁକ୍ତ ୨ ପ୍ରଥମବର୍ଷ ପିଲାମାନେ ନାମକୁ ମାତ୍ର ପରୀକ୍ଷା ଦେଉଥିବା ବେଳେ ଚଳିତ ବର୍ଷଠାରୁ ପାସ୍‌ଫେଲ ବ୍ୟବସ୍ଥା କରାଯିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ପ୍ରଥମ ବର୍ଷ ପରୀକ୍ଷାରେ କୌଣସି ପିଲା ଫେଲ ହୁଅନ୍ତି ତେବେ ସେମାନଙ୍କ ପାଇଁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଭଳି ଆଉଥରେ ପରୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଦ୍ୱାଦଶ ଶ୍ରେଣୀକୁ ଯିବା ଲାଗି ଛାତ୍ରୀଛାତ୍ରଙ୍କୁ ଅତି କମ୍‌ରେ ୩୩% ମାର୍କ ରଖିବା ବାଧ୍ୟତାମୂଳକ ହୋଇଥିଲା।

Share