Categories: ଖେଳ

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ କୋହଲି

ମୁମ୍ବାଇ, ୧୦।୧୨- ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ ବୁଧବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ପ୍ରଥମ ଓ ଓ୍ବେଷ୍ଟଇଣ୍ଡିଜ ୨ୟ ମ୍ୟାଚ୍‌ ଜିତିଥିବାରୁ ସିରିଜ ଏବେ ୧-୧ରେ ବରାବର୍‌ ରହିଛି। ତେଣୁ ଅନ୍ତିମ ମ୍ୟାଚ୍‌ ଜିତି ଉଭୟ ଦଳ ସିରିଜ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଏହି ଅବସରରେ ଘରୋଇ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଯଦି ୩ୟ ମ୍ୟାଚ୍‌ରେ କୋହଲି ଆଉ ୬ ରନ୍‌ ସଂଗ୍ରହ କରନ୍ତି ତେବେ ଟି୨୦ କ୍ରିକେଟ୍‌ରେ ଘରୋଇ ମାଟିରେ ଏକ ହଜାର ରନ୍‌ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ଓ ବିଶ୍ୱର ୩ୟ କ୍ରିକେଟର୍‌ ହେବାର ସୌଭାଗ୍ୟ ଲାଭ କରିବେ। ଦୁଇ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍‌ଟିଲ (୧୪୩୦ ରନ) ଓ କଲିନ୍‌ ମୁନ୍‌ରୋ (୧୦୦୦) ଏହିକ୍ରମରେ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। କୋହଲି ୭୪ ଟି୨୦ ମ୍ୟାଚ୍‌ରୁ ୫୧.୩ ଆଭରେଜରେ ୨୫୬୩ ରନ କରିଛନ୍ତି। ପ୍ରଥମ ଟି୨୦ ମ୍ୟାଚ୍‌ରେ ସଂଗ୍ରହ କରିଥିବା ଅପରାଜିତ ୯୪ ରନ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଦ୍ୱିତୀୟ ମ୍ୟାଚ୍‌ ଅବସରରେ ରୋହିତ୍‌ ଶର୍ମାଙ୍କୁ ପଛରେ ପକାଇ ବିରାଟ ଭାରତର ସର୍ବାଧିକ ଟି୨୦ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ରୋହିତ୍‌ ୧୦୩ ମ୍ୟାଚ୍‌ରୁ ୩୧.୬ ଆଭରେଜରେ ୨୫୬୨ ରନ୍‌ କରି କୋହଲି (୨୫୬୩)ଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି।

Share