Posted inଖେଳ

ପ୍ରଥମ ମହିଳା ଆଇସିସି ମ୍ୟାଚ ରେଫରି ଜି.ଏସ୍‌. ଲକ୍ଷ୍ମୀ

ଜଣେ କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ
କରିଥିବା ୫୧ ବର୍ଷୀୟ ଜି.ଏସ୍‌. ଲକ୍ଷ୍ମୀ ଏବେ ବିଶ୍ୱର ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ନିଯୁକ୍ତ ହୋଇଛନ୍ତି। ବିବାହ କରିବା, ମା’ ହେବା ଓ ଅବସର ନେବା ପରେ ମଧ୍ୟ କ୍ୟାରିୟର ରହିଛି ଓ ଜଣେ ମହିଳା ଚାହିଁଲେ ତାଙ୍କର
ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ତେବେ ଏଥିପାଇଁ ଇଚ୍ଛାଶକ୍ତି ଜାରି ରହିବା ନିହାତି ଜରୁରୀ ବୋଲି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଜନ୍ମିତ ଲକ୍ଷ୍ମୀ କୁହନ୍ତି। ଦିନିକିଆ ଓ ଟି୨୦ ବିଶ୍ୱକପ୍‌ରେ ମ୍ୟାଚ୍‌ ପରିଚାଳନା କରିବା ତାଙ୍କର ଲକ୍ଷ୍ୟ ରହିଛି…

ଜି.ଏସ୍‌. ଲକ୍ଷ୍ମୀ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପୂର୍ବତନ ମହିଳା କ୍ରିକେଟର ବିଶ୍ୱର ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ତାଲିକାରେ ସେ ସ୍ଥାନ ପାଇଛନ୍ତି। ପ୍ରଥମେ ଜଣେ କ୍ରିକେଟର ପରେ କୋଚ୍‌ ଓ ଶେଷରେ ରେଫରି ଭାବେ ସେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଏବେ ଆଗକୁ ସେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇବେ। ବିଶ୍ୱର ପ୍ରଥମ ମହିଳା ଭାବେ ସେ ଏହି ଦାୟିତ୍ୱ ପାଇଥିବାରୁ ଭାରତ ପାଇଁ ଏହା ଗର୍ବର ବିଷୟ। ରେଫରି ହେବା ପୂର୍ବରୁ ସେ ଜଣେ ସଫଳ ମହିଳା କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ କରିଥିଲେ। ରେଲଓ୍ବେ ପାଇଁ ପ୍ରତିନିଧିତ୍ୱ କରି ସେ ଜଣେ ଅସାଧାରଣ ବୋଲର ବିବେଚିତ ହୋଇ ଆସୁଥିଲେ। ଘରୋଇ ମହିଳା କ୍ରିକେଟରେ ସେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି। ଏକଦା ସେ ପୂର୍ବତନ ଭାରତୀୟ ଅଧିନାୟିକା ଡାଇନା ଇଦୁଲଜୀ, ପୂର୍ବତନ ଅଲରାଉଣ୍ଡର ହେମଲତା କାଲାଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଭାରତ ପାଇଁ ଲକ୍ଷ୍ମୀ କେବେବି ଖେଳି ନ ଥିଲେ ମଧ୍ୟ ୧୯୯୯ ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ।
ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀଠାରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀ ଝାଡଖଣ୍ଡର ଷ୍ଟିଲ୍‌ସିଟି ଜାମସେଦପୁରରେ ବଡ଼ ହୋଇଥିଲେ। ତାଙ୍କ ବାପା ସେଠାରେ ଚାକିରି କରୁଥିଲେ। ଦଶମ ବୋର୍ଡ ପରୀକ୍ଷାରେ ସେ ଭଲ ନମ୍ବର ରଖିପାରି ନ ଥିଲେ। ଫଳରେ ଜାମସେଦପୁର ମହିଳା କଲେଜରେ ସିଧାସଳଖ ଆଡମିଶନ ମିଳି ନ ଥିଲା। ତେବେ ସେ ଫ୍ରଣ୍ଟଲାଇନ ଦ୍ରୁତ ବୋଲର ହୋଇପାରିବେ ବୋଲି କଲେଜ କର୍ତ୍ତୃପକ୍ଷ ହୃଦୟଙ୍ଗମ କଲାପରେ ଲକ୍ଷ୍ମୀଙ୍କୁ ସ୍ପୋଟର୍‌ସ କୋଟାରେ ଆଡମିଶନ ମିଳିଥିଲା।
୧୯୯୧ରେ ନିଜର ବିବାହ ଦିନ ସେ ଅବଶିଷ୍ଟ ଭାରତ ପାଇଁ ଖେଳିବାକୁ ଡାକରା ପାଇଥିଲେ। ବିବାହର କିଛି ଦିନ ପରେ ସେ କ୍ରିକେଟ ଖେଳ ଜାରି ରଖିଥିଲେ। ଆନ୍ତଃ ରେଲଓ୍ବେ ଟୁର୍ନାମେଣ୍ଟରେ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେକୁ ପ୍ରଥମଥର ପାଇଁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ତାଙ୍କ କ୍ରିକେଟ କ୍ୟାରିୟରର ଏକ ମୁଖ୍ୟ ଘଟଣା ଥିଲା। ୨୦୦୪ ପରେ ସେ ଅବସର ନେବାପରେ ଲକ୍ଷ୍ମୀ କୋଚିଂରେ ମନୋବଳାଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେ ପାଇଁ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମଥର ପାଇଁ ମହିଳା ରେଫରିଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ମୀଙ୍କ ସମେତ ଅନ୍ୟ ୪ଜଣ ମହିଳା ରେଫରିଙ୍କୁ ନେଇ ଏକ ଗ୍ରୁପ୍‌ ଚୟନ କରାଯାଇଥିଲା। ଅନ୍ୟ ୪ଜଣ ମହିଳା ରେଫରି ହେଲେ ପୂର୍ବତନ ଭାରତୀୟ କ୍ରିକେଟର ରଜନୀ ବେଣୁଗୋପାଳ, ରାଜେଶ ନାୟାର, ନିଳିମା ଜୋଗେଲକର ଓ ଗାର୍ଗି ବାନାର୍ଜୀ। ୨୦୧୪ରେ ମହିଳା ରେଫରିଙ୍କ ପାଇଁ ବିସିସିଆଇ ଏକ କ୍ୱାଲିଫିକେଶନ ପରୀକ୍ଷା ଧାର୍ଯ୍ୟ କରିଥିଲା। ଲକ୍ଷ୍ମୀ ଅବଶ୍ୟ କୃତକାର୍ଯ୍ୟ ହୋଇଥିଲେ। ଏଥିରେ ୧୨୦ ଜଣ ମ୍ୟାଚ୍‌ ରେଫରି ସାମିଲ ହୋଇଥିଲେ। ଅନ୍ୟ ୪ ମହିଳା ରେଫରିଙ୍କ ସହ ୫୦ ଜଣିଆ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ। ଏହାପରେ ସେ ବାଳକ ଓ ଅନ୍ୟ ପୁରୁଷ ଘରୋଇ ମ୍ୟାଚ୍‌ ପରିଚାଳନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହାପରେ ଲକ୍ଷ୍ମୀ ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ରେଫରି ଦାୟିତ୍ୱ ତୁଲାଇଥିଲେ ଓ ଉତ୍ତରପ୍ରଦେଶ- ବେଙ୍ଗଲ ମ୍ୟାଚ୍‌ ଓ ସବୁ ମହିଳା ବର୍ଗର ଘରୋଇ ମ୍ୟାଚ୍‌ରେ ପ୍ରଥମଥର ପାଇଁ କୋଡ ଅଫ୍‌ କଣ୍ଡକ୍ଟ ପେନାଲ୍ଟି ଲାଗୁ କରିଥିଲେ। ସେ ଏପର୍ଯ୍ୟନ୍ତ ୩ଟି ମହିଳା ଦିନିକିଆ ମ୍ୟାଚ୍‌, ୩ ମହିଳା ଟି୨୦ ମ୍ୟାଚ୍‌ ସହିତ କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ମହିଳା ଟି୨୦ ଚ୍ୟାଲେଞ୍ଜର ସବୁ ୪ଟି ଯାକ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇଥିଲେ।
ଆଇସିସିର ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରିକୁ ମନୋନୀତ ହେବା ମୋ ପାଇଁ ବହୁତ ବଡ଼ ସମ୍ମାନ। ମହିଳା କ୍ରିକେଟର ଭାବେ ବିଭିନ୍ନ ଦଳ ପକ୍ଷରୁ ଅନେକ ମ୍ୟାଚ୍‌ ଖେଳିଛି ଏବଂ ମ୍ୟାଚ୍‌ ରେଫରି ଦାୟିତ୍ୱ ତୁଲାଇଛି। ଏଭଳି ଏକ ବଡ଼ ଗୁରୁ ଦାୟିତ୍ୱ ଦେଇଥିବାରୁ ଆଇସିସି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଫିସିଆଲଙ୍କ ସମେତ ସିନିୟର ଖେଳାଳି, ପରିବାର ଓ ବନ୍ଧୁଙ୍କୁ ଲକ୍ଷ୍ମୀ କୃତଜ୍ଞତା ଜଣାଇଛନ୍ତି।
ଉଭୟ ମହିଳା ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ରେଫରି ହିସାବରେ ମ୍ୟାଚ୍‌ ପରିଚାଳନା କରିବା ହେଉଛି ଲକ୍ଷ୍ମୀଙ୍କ ପରବର୍ତ୍ତୀ ଲକ୍ଷ୍ୟ। ଖାସ କରି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପରିଚାଳନା କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମହିଳା କ୍ରିକେଟ ଯଦିଓ ମୋ ରକ୍ତରେ ରହିଛି ମୁଁ ଆଇସିସିର ଏକ ପୁରୁଷ ମଲ୍ଟି ଟିମ ଟୁର୍ନାମେଣ୍ଟରେ ପରିଚାଳନା କରିବା ଲକ୍ଷ୍ୟରେ ରହିଛି। ଜଣେ ମହିଳା ପାଇଁ କ୍ୟାରିୟର ଓ ଜୀବନରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ବିବାହ କରିବା ସହିତ ସନ୍ତାନସନ୍ତତିମାନଙ୍କ ମା’ ହେବା ଓ ପରିବାର ଚଳାଇବା ହେଉଛି ଜଣେ ମହିଳା ପାଇଁ ବଡ଼ ଦାୟିତ୍ୱ। ତେବେ ଏହା ସତ୍ତ୍ୱେ ଯଦି ଇଚ୍ଛା ଶକ୍ତି ଜାରି ରଖାଯାଏ ତାହେଲେ ଜଣେ ମହିଳା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।

ସଂକ୍ଷେପରେ…

ନାମ: ଜି.ଏସ୍‌. ଲକ୍ଷ୍ମୀ
ଡାକ ନାମ: ଲକ୍ଷ୍ୟ
ଜନ୍ମ: ମେ ୨୩, ୧୯୬୮
ରାଜମହେନ୍ଦ୍ରୀ (ଆନ୍ଧ୍ର ପ୍ରଦେଶ)
ମେଜର ଟିମ: ଆନ୍ଧ୍ର ମହିଳା, ବିହାର ମହିଳା, ଇଷ୍ଟ ଜୋନ ମହିଳା, ଭାରତ ମହିଳା, ରେଲଓ୍ବେ ମହିଳା, ସାଉଥ୍‌ ଜୋନ ମହିଳା।
ବ୍ୟାଟିଂ: ଡାହାଣ ହାତୀ
ବୋଲିଂ: ରାଇଟ ଆର୍ମ ଫାଷ୍ଟ ମିଡିୟମ
ରେଫରି ଦାୟିତ୍ୱ: କୁଚ୍‌ ବିହାର ଟ୍ରଫି, ସବୁ ବର୍ଗର ମହିଳା ଘରୋଇ ମ୍ୟାଚ୍‌, ୩ ମହିଳା ଦିନିକିଆ ଓ ଟି୨୦ ମ୍ୟାଚ୍‌, ମହିଳା ଟି୨୦ ଚ୍ୟାଲେଞ୍ଜ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍‌-ଉପଅଧିନାୟକଙ୍କ ସହ…’

ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍‌...

ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ…

ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ...

ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ...

ଖେଳ ରତ୍ନ ପୁରସ୍କାର ଜିତିଥିବା ଖେଳାଳିଙ୍କୁ ମିଳିବ ଏତିକି ପୁରସ୍କାର ରାଶି, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨।୧: କ୍ରୀଡା ମନ୍ତ୍ରଣାଳୟ ୨୦୨୫ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ଏଥର କ୍ରୀଡା ଜଗତରେ ଇତିହାସ ସୃଷ୍ଟି କରିଥିବା ୪ ଖେଳାଳିଙ୍କୁ...

ଖେଳ ରତ୍ନ ପୁରସ୍କାର ଘୋଷଣା: ମନୁ ଭାକରଙ୍କ ସମେତ ଏହି ସବୁ ଖେଳାଳି ହେବେ ସମ୍ମାନିତ

ନୂଆଦିଲ୍ଲୀ,୨।୧: ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର...

ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ: ରୋହିତ-ପନ୍ତ ହେବେ ବିଦା!

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଜାନୁଆରୀ ୩ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ସିରିଜରେ ଟିମ ଇଣ୍ଡିଆ...

ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୧: ଭାରତର ୪ ନାମିଦାମୀ କ୍ରିକେଟରଙ୍କୁ ଗୁଜରାଟର ସିଆଇଡି ଶାଖା ସମନ ଜାରି କରିଛି। ଏହି ଚାରି କ୍ରିକେଟରଙ୍କ ନାମ ହେଉଛି ଶୁବମାନ ଗିଲ, ରାହୁଲ...

ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍‌ ପଡ଼ିଲେ ମିଚେଲ ମାର୍ଶ

ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri