Categories: ଖେଳ

ପ୍ରଥମ ମହିଳା ଟି୨୦: ଭାରତ ୧୧ ରନରେ ବିଜୟୀ

ସୁରଟ,୨୫।୯(ପି.ଟି.)- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳ ୧୧ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୮ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୯.୫ ଓଭରରେ ୧୧୯ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା। ଏଥିସହିତ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ଦକ୍ଷିଣ ଆଫ୍ରିକା ତରଫରୁ ମିଗନୋନ ଡୁ ପ୍ରିଜ୍‌ ୪୩ ବଲରୁ ୪ ଚୌକା ଓ ୩ ଛକା ସହ ୫୯ ରନର ଅର୍ଦ୍ଧଶଶତକୀୟ ପାଳି ଖେଳି ଏକା ଲଢ଼େଇ କରିଥିଲେ। ସେ ରାଧା ଯାଦବଙ୍କ ବଲ୍‌ରେ ଷ୍ଟମ୍ପ ଆଉଟ ହେବା ପରେ ଦଳର ବିଜୟ ଆଶା ମଉଲିଥିଲା। ଅନ୍ୟମାନଙ୍କ ମଧ୍ୟରେ ଓପନର ଲିଜେଲି ଲି ୧୬ ଓ ଲଉରା ଉଲଭାରଟ ୧୪ ରନକରି ଆଉଟ ହୋଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ପାଇଁ ଦିପ୍ତୀ ଶର୍ମା ୩, ଶିଖା ପାଣ୍ଡେ, ପୁନମ ଯାଦବ ଓ ରାଧା ଯାଦବ ୨ଟି ଲେଖାଏ, ହରମନପ୍ରୀତ କୌର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୂ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତର ମିଡଲ ଅର୍ଡର ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲେ। ଫଳରେ ଦଳ ୧୩୦ ରନରେ ସୀମିତ ରହିଥିଲା। ବିନା ସ୍କୋରରେ ପଦାର୍ପଣ କରିଥିବା ଓପନର ଶେଫାଳୀ ବର୍ମାଙ୍କୁ ହରାଇ ଭାରତ ପ୍ରାରମ୍ଭିକ ଝଟକା ଖାଇଥିଲା। ଶେଫାଳୀ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଦଳ ତରଫରୁ ଅଧିନାୟିକା ହରମନପ୍ରୀତ କୌର ୩୪ ବଲରୁ ୩ ଚୌକା ଓ ୨ ଛକା ସହ ସର୍ବାଧିକ ୪୩ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ୧୬ଟି ବଲ ଖେଳି ୪ ଚୌକା ସହ ୨୧, ଜେମିମା ରୋଡ୍ରିଗ୍ବେଜ ୨୫ ବଲରୁ ୧୯, ଦୀପ୍ତି ଶର୍ମା ୧୬ ବଲରୁ ୧୬, ବେଦା କ୍ରିଷ୍ଣମୂର୍ତ୍ତୀ ୧୧ ବଲରୁ ୧୦ ରନ କରି ଆଉଟ ହୋଇଥିବା ବେଳେ ଉଇକେଟକିପର ବ୍ୟାଟ୍ସ ଓମେନ ତାନିଆ ଭାଟିଆ ୧୧ ରନ କରି ଅପରାଜିତ ରହିଥିଲେ। ପୂଜା ବସ୍ତ୍ରକାର ୧, ରଧା ଯାଦବ ୧ ରନ କରି ଆଉଟ ହୋଇଥିବା ବେଳେ ଶିଖା ପାଣ୍ଡେ ୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଶବନିମ ଇସ୍‌ମାଇଲ ସର୍ବାଧିକ ୩, ନାଡିନ ଡି କ୍ଲର୍କ ୨, ଟୁମି ସେଖୁଖୁନ ଓ ନୋଣ୍ଡୁମିଶୋ ଶାଙ୍ଗାସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୩୦/୮ (ହରମନପ୍ରୀତ- ୪୩, ମନ୍ଧାନା- ୨୧, ରୋଡ୍ରିଗୁଏଜ୍‌- ୧୯, ଦୀପ୍ତି- ୧୬, ଇସ୍‌ମାଇଲ- ୩/ ୨୬, କ୍ଲେର୍କ- ୨/୧୦)।
ଦକ୍ଷିଣ ଆଫ୍ରିକା ୧୯.୫ ଓଭରେ ୧୧୯ ଆଉଟ୍‌ (ପ୍ରିଜ୍‌- ୫୯, ଲି- ୧୬, ଉଲଭାରଟ- ୧୪, ଦୀପ୍ତି- ୩/୮, ପାଣ୍ଡେ- ୨/୧୮, ପୁନମ- ୨/୨୫, ରାଧା- ୨/୨୯)।

Share