ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧଦିବସ ପାଳିତ: ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ

କଟକ ଅଫିସ,୨୭ା୭: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ହାଇକୋର୍ଟ ବାର୍‌ କନଭେନଶନ ହଲ୍‌ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ବୀରକିଶୋର ରାୟ ମେମୋରିଆଲ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ କମିଟିର ଉପସଭାପତି ଆଡଭୋକେଟ ସନାତନ ଦାସ ପୌରୋହିତ୍ୟ କରିଥିଲେ। ଉକ୍ତ ସଭାରେ ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ଅକ୍ଷୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍ବର୍ଗତ ରାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ହାଇକୋର୍ଟ ବାର୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଥିଲେ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ। କମିଟି ସମ୍ପାଦକ ବିଜୟ କୁମାର ରଗଡ଼ ସ୍ବାଗତ ଭାଷଣ ଓ ଯୁଗ୍ମ ସମ୍ପାଦକ ଅଭୟ କୁମାର ଶର୍ମା ଧନ୍ୟବାଦ ଦେଇଥିଲେ। ଏହି ସଭାରେ ବିଚାରପତି ଡ. ଏ.କେ. ମିଶ୍ର, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତି, ରମାକାନ୍ତ ମହାନ୍ତି, ବାର୍‌ କାଉନସିଲ ସଦସ୍ୟ ବନୋଜ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୮ଟାରେ ମହାନଦୀର ଗଡ଼ଗଡ଼ିଆ ଘାଟରେ ତିଳତର୍ପଣ କରାଯାଇଥିଲା। ପୂର୍ବାହ୍ନ ୧୦ଟାରେ ହାଇକୋର୍ଟ ପରିସରରେ ଜଷ୍ଟିସ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀଙ୍କ ସମେତ ସମସ୍ତ ବିଚାରପତି, କମିଟିର କର୍ମକର୍ତ୍ତା ଓ ବହୁ ଆଇନଜୀବୀ ମାଲ୍ୟାର୍ପଣ କରିଥିଲେ।

Share