Categories: ଖେଳ

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌
ବ୍ୟାଙ୍ଗକକ୍‌,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍‌.ଏସ୍‌. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଶ୍ରୀକାନ୍ତଙ୍କୁ ଇଣ୍ଡୋନେସିଆର ହିରେନ ରୁଷ୍ଟାଭିଟୋ, ବର୍ମାଙ୍କୁ ମାଲେସିଆର ଲି ଜି ଜିଆ ଓ ପ୍ରଣୟଙ୍କୁ ମାଲେସିଆର ଲିଉ ଡାରେନ ପରାସ୍ତ କରିଛନ୍ତି। ୪୮ ମିନିଟ୍‌ ଧରି ଚାଲିଥିବା ମୁକାବିଲାରେ ୫ମ ସିଡ୍‌ ଶ୍ରୀକାନ୍ତ ୨୧-୧୨, ୧୪-୨୧, ୧୧-୨୧ ଗେମ୍‌ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ଯୋଗୁ ତାଙ୍କ ଅଲିମ୍ପିକ୍ସ ଯୋଗ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଶ୍ରୀକାନ୍ତ ଏବେ ୨୩ତମ ସ୍ଥାନରେ ଥିବାବେଳେ ଆସନ୍ତା ଏପ୍ରିଲ ୨୬ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅନ୍ତିମ ତାରିଖ। ଏଥିପୂର୍ବରୁ ସେ ଇଣ୍ଡୋନେସିଆ ମାଷ୍ଟର୍ସ ଓ ମାଲେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ବର୍ମା ୧୬-୨୧, ୧୫-୨୧ ଗେମ୍‌ରେ ମ୍ୟାଚ୍‌ ହାରିଛନ୍ତି। କିନ୍ତୁ ପ୍ରଣୟ ଜୋରଦାର ଲଢ଼େଇ କରିଥିଲେ। ପ୍ରଥମ ଗେମ୍‌ (୧୭-୨୧)ରେ ହାରିବା ପରେ ଦ୍ୱିତୀୟ ଗେମ୍‌କୁ ୨୨-୨୦ରେ ଜିତି ମ୍ୟାଚ୍‌କୁ ଫେରିଥିଲେ। କିନ୍ତୁ ତୃତୀୟ ତଥା ଅନ୍ତିମ ଗେମରେ ୧୯-୨୧ ବ୍ୟବଧାନରେ ପରାସ୍ତ ହୋଇଥିଲେ।

Share