Categories: ବାଣିଜ୍ୟ

ପ୍ରଥମ ୨ ମାସରେ ବିତ୍ତୀୟ ନିଅଣ୍ଟ ୫୨% ଛୁଇଁଲା

ନୂଆଦିଲ୍ଲୀ,୨୯-୬: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ବଜେଟ ଅନୁମାନର ୫୨%ରେ ପହଞ୍ଚତ୍ୟାଇଛି। ମହାଲେଖା ନିୟନ୍ତ୍ରକ(ସିଜିଏ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ନିରପେକ୍ଷ ରୂପରେ ବିତ୍ତୀୟ ନିଅଣ୍ଟ ପରିମାଣ ୩,୬୬,୧୫୭ କୋଟି ଟଙ୍କା ହୋଇଛି। ପୂର୍ବବର୍ଷର ଏହି ଅବଧିରେ ନିଅଣ୍ଟ ପରିମାଣ ବଜେଟ ଲକ୍ଷ୍ୟର ୫୫.୩% ରହିଥିଲା। ଫେବୃୟାରୀରେ କେନ୍ଦ୍ର ସରକାର ୨୦୧୯-୨୦ର ଅନ୍ତରୀଣ ବଜେଟ ଉପସ୍ଥାପନ କରି ପୂରା ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ୭.୦୩ ଲକ୍ଷ କୋଟି ଟଙ୍କା ରହିବ ବୋଲି ଅନୁମାନ କରିଥିଲେ। ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)ର ୩.୪%ରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗତ ଆର୍ଥିକ ବର୍ଷ ପାଇଁ ମଧ୍ୟ ସମାନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଯାହା ପ୍ରାୟତଃ ପୂରଣ ହୋଇଛି। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସ ଏପ୍ରିଲ-ମେ’ରେ ରାଜସ୍ବ ଆୟ ବଜେଟ ଅନୁମାନର ୭.୩% ରହିଛି। ବର୍ଷକ ପୂର୍ବେ ଏହି ଅବଧିରେ ସମାନ ରାଜସ୍ବ ଆଦାୟ ହୋଇଥିଲା। ତେବେ ପୁଞ୍ଜି ବ୍ୟୟ ଆଲୋଚ୍ୟ ବର୍ଷରେ ବଜେଟ ଅନୁମାନର କେବଳ ୧୪.୨% ରହିଛି, ଯାହା କି, ପୂର୍ବବର୍ଷର ଏହି ସମୟରେ ୨୧.୩% ରହିଥିଲା। ଏପ୍ରିଲ-ମେ’ରେ ସରକାରଙ୍କ ମୋଟ ବ୍ୟୟ ୫.୧୨ ଲକ୍ଷ କୋଟି ଟଙ୍କା ଥିଲା, ଯାହା ବଜେଟ ଅନୁମାନର ୧୮.୪%। ବର୍ଷକ ପୂର୍ବେ ଏହା ୧୯.୪% ରହିଥିଲା।

Share