ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ ଚିତ୍ରର ନାମ ‘ ମେଗା ସାଇକ୍ଲୋନ୍‌ ଫନୀ: ରେସକ୍ୟୁଙ୍ଗ୍‌ ଏ ମିଲିୟନ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିପର୍ଯ୍ୟୟ ଏବଂ ଏହାର ସଫଳ ମୁକାବିଲା ସମ୍ପର୍କରେ ବୃତ୍ତଚିତ୍ରରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ତତ୍କାଳୀନ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ, ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଅନୁଭୂତି ବଖାଣିଥିଲେ। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶା ଚଳିତବର୍ଷ ମେ’ରେ ଭୟାନକ ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ହୋଇଥିଲା। ହେଲେ ରାଜ୍ୟ ପ୍ରଶାସନ ଏହା ପୂର୍ବରୁ ଯଥେଷ୍ଟ ପୂର୍ବପ୍ରସ୍ତୁତି ମଧ୍ୟ କରିଥିଲା। ତେଣୁ ପବନର ଗତି ଏବଂ ବେଗକୁ ଦୃଷ୍ଟିରେ ରଖି ବଡଧରଣର ସ୍ଥାନ୍ତାନ୍ତରଣ/ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଉପକୂଳ ଓଡ଼ିଶା ସମସ୍ତ ଜିଲା ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ବୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ସମୟରେ ପ୍ରାୟ ୧.୫ ମିଲିୟନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଅନ୍ତର୍ଜାତୀୟ ଏବଂ ଜାତୀୟ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଗତ ଦୁଇଦଶନ୍ଧି ମଧ୍ୟରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡିକ ମଧ୍ୟରେ ଫନୀ ପ୍ରକୋପ ଅତ୍ୟନ୍ତ ଭୟାନକ ଥିଲା। ଏହା ଦ୍ୱାରା ଓଡ଼ିଶା ଉପକୂଳର ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିଜନିତ ପୁନରୁଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଉଜୁଡିଯାଇଥିବା ଭିତ୍ତିଭୂମି ଉନ୍ନୟନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପୂର୍ବରୁ ୧୯୯୯ ମହାବାତ୍ୟାରୁ ଶିକ୍ଷା ଗ୍ରହଣ କରି ଫନୀ ଏବଂ ଏହା ପୂର୍ବରୁ ଆସିଥିବା ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share