ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ନିରଞ୍ଜନ, କହିଲେ ଆମେ ଅହିଂସା ନୀତିରେ ବିଶ୍ୱାସ କରୁ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ପ୍ରଦୀପ ମାଝିଙ୍କ ମନ୍ତବ୍ୟରେ ମୁଁ ଦୁଃଖିତ। ସେ ଭାବବିହ୍ବଳ ହୋଇ ଏଭଳି କଥା କହିଛନ୍ତି। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ କରୁଛି। ଆମେ ଅହିଂସା ନୀତିରେ ବିଶ୍ୱାସ କରୁ ବୋଲି ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି। ଏଥିସହ ପ୍ରଦୀପଙ୍କ ନାମରେ ମାମଲା ରୁଜୁ କରାଯାଇ ରାଜନୀତି କରାଯାଉଛି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ନ ମିଳିଲେ ଏହାକୁ ଛଡ଼ାଇନେବୁ। ଗାନ୍ଧୀଙ୍କୁ ଛାଡ଼ି ସୁଭାଷ ବୋଷଙ୍କ ନୀତି ଆପଣାଇବୁ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରଦୀପ। ଏହାକୁ ନେଇ ରାଜନୀତି ତେଜିବା ସହ ବିଭିନ୍ନ ମହଲରୁ ଏଭଳି ବୟାନକୁ ନିନ୍ଦା କରାଯାଇଥିଲା। ତେବେ ଏହି ଘଟଣାରେ ଶୁକ୍ରବାର ନବରଙ୍ଗପୁର ଟାଉନ ଥାନା ପୋଲିସ ପ୍ରଦୀପଙ୍କୁ ମିଶାଇ ୧୫ଜଣଙ୍କ ନାମରେ ଏତଲା କରିଛି।

Share