ପ୍ରଦୀପ ଦାଶଙ୍କୁ ‘ଶାରଳା ପୁରସ୍କାର’

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍ସ ଏଣ୍ଡ୍‌ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୪୦ତମ ଶାରଳା ପୁରସ୍କାର ଉତ୍ସବ ଶନିବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ସମ୍ମାନଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି। ତାଙ୍କ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ମିଳିଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଦାଶଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି। ସେହିପରି ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପୁରସ୍କାର ରାଶି ବାବଦକୁ ଦେଢ଼ ଲକ୍ଷ ଟଙ୍କା ଓ ମାନପତ୍ର ମିଳିଛି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଔପନ୍ୟାସିକ ବିବେକ୍‌ ଶାନ୍‌ଭାଗ୍‌ ଯୋଗଦେଇଥିବା ବେଳେ ‘ଶାରଳା ପୁରସ୍କାର’ ଉପଦେଷ୍ଟା ମଣ୍ଡଳୀର କାର୍ଯ୍ୟକାରୀ ସଭାପତି ମାଳବିକା ରାୟ, ସମ୍ପାଦକ ରାଜ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଇମ୍ଫା ଟ୍ରଷ୍ଟର ଟ୍ରଷ୍ଟି ପାରମିତା ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।

Share