ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ ତୈଳ ଦ୍ୱାରା ନଦୀଜଳ ପ୍ରଦୂଷଣକୁ ପ୍ରଶାସନ ରୋକିବାରେ ବିଫଳ ହୋଇପଡ଼ିଛି। ବିଶ୍ୱକର୍ମା ପୂଜା ପାଇଁ ଚଟେଇ ହଟିଂସ୍ଥିତ କାରୋନଦୀରେ ଶହଶହ ସଂଖ୍ୟାରେ ଭାରିଯାନ, ଚାରିଚକିଆ ଯାନ, ଦୁଇଚକିଆ ଯାନ, ଟ୍ରାକ୍ଟର ଆଦି ଗାଡ଼ି ଧୁଆ ହେଉଥିବା ଦେଖିବାକୁ ମିଳିଛି। ଏହି ଗାଡି ଗୁଡିକରୁ ମାଟି ସହ ଗ୍ରିଜ, ମୋବିଲ, ଡିଜେଲ ଆଦି ନଦୀଜଳରେ ମିଶି ନଦୀଜଳକୁ ବିଷାକ୍ତ କରିଛି। ଏହାକୁ ରୋକିବା ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ନୀରବଦ୍ରଷ୍ଟା ସାଜିବା ପରୋକ୍ଷରେ ନଦୀଜଳ ପ୍ରଦୂଷଣ ବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି।
ସୂଚନା ଥାଉକି, ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି କାରୋନଦୀରୁ ଜଳ ଉଠାଣ କରାଯାଇ ବିଶୋଧନ ପରେ ପୌରାଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଥାଏ। ଏହି ନଦୀଜଳରୁ ଅଧିକ ପରିମାଣର ଜଳ ଉଠାଣ ନିମନ୍ତେ ଜନସ୍ବାସ୍ଥ୍ୟ ବିଭାଗ ଦେଖରେଖରେ ଏକ ନୂତନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସାମାନ୍ୟ ବର୍ଷା ହେଲେ ପୌରାଞ୍ଚଳବାସୀଙ୍କୁ ଗୋଳିଆ ପାଣି ଯୋଗାଉଥିବା ଜନସ୍ବାସ୍ଥ୍ୟ ବିଭାଗ ଏହି କେମିକାଲଯୁକ୍ତ ବିଷାକ୍ତ ଜଳକୁ କିଭଳି ବିଶୋଧନ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଦୀଜଳ ପ୍ରଦୂଷଣ ହେଉଥିବାନେଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ପଚାରିବାରୁ ତହସିଲଦାର ଓ ପୋଲିସ ପ୍ରଶାସନର ସହାୟତା ନେଇ ନଦୀଭିତରକୁ ଯାନବାହନ ନ ଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କାରୋନଦୀ ବଞ୍ଚାଇବାକୁ ବିଭିନ୍ନ ସଂଗଠନ ଗୁଡିକ ଅନେକ ସମୟରେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସଭା ସମିତିମାନ କରି କେବଳ ବାଃ ବାଃ ନେଉଛନ୍ତି। ତେବେ ଏ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Share