ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଅଧିକ ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୧ା୯(ଡି.ଏନ.ଏ.)-ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାରୁ ଗାଡ଼ି ଚାଳକ ଓ ମାଲିକମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡି କାଗଜପତ୍ର ଓ ପ୍ରଦୂଷଣ ପ୍ରମାଣପତ୍ର ଠିକ ରଖିବାକୁ ତତ୍ପର ହୋଇଛନ୍ତି। ତେବେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅଧିକ ଜରିମାନା ଆଦାୟ ୩ ମାସ କୋହଳ କରିଛନ୍ତି। ଏବେ ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ପ୍ରଦୂଷଣ ପ୍ରମାଣପତ୍ର ଦେବା ପାଇଁ ଏକ ଗାଡି ଗାଁକୁ ଗାଁ ବୁଲୁଛି। ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବିଭିନ୍ନ ଗାଡି ମାଲିଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଉଛି। ତେବେ ଶୀଘ୍ର ଓ ସୁବିଧାରେ ପ୍ରମାଣପତ୍ର ମିଳିଯାଉଥିବାରୁ ଏହାକୁ କେହି ବିରୋଧ କରୁ ନଥିବା ଦେଖାଯାଇଥିଲା।
ଶୁକ୍ରବାର ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ପ୍ରଦୂଷଣ ପ୍ରମାଣପତ୍ର ଦେବା ପାଇଁ ଏକ କାର୍‌ (ନଂ.ଓଆର୦୭ଏକ୍ସ୦୦୨୭) ଆସି ରହିଥିଲା। ବିଭିନ୍ନ ଗାଡି ମାଲିକମାନେ ଉକ୍ତ କାର୍‌ ଆଗରେ ଭିଡ ଜମାଇଥିଲେ। ଗାଡ଼ିର ନମ୍ବର ପ୍ଲେଟକୁ ସ୍କାନିଂ କରି ପ୍ରମାଣପତ୍ର ପାଇଁ ରସିଦରେ ଉଲ୍ଲେଖ ଥିବା ମୂଲ୍ୟଠାରୁ ୪୦ରୁ ୫୦ ଟଙ୍କା ଲେଖାଏ ଅଧିକ ଆଦାୟ କରାଯାଉଥିଲା। ଏ ସମ୍ପର୍କରେ ପଚାରିଲେ, ଆମେ ବ୍ରହ୍ମପୁରୁ ଆସିଛୁ, ତେଣୁ ଗାଡ଼ି ଭଡା ବାବଦକୁ ଅଧିକ ଟଙ୍କା ନେଉଛୁ ବୋଲି ଉକ୍ତ କାର୍‌ରେ ଥିବା କର୍ମଚାରୀମାନେ କହିଥିଲେ। ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବ୍ରହ୍ମପୁରକୁ ଗାଡି ନେଇ ଗଲେ ରସିଦ୍‌ ମୁତାବକ ଟଙ୍କା ନିଆଯିବ ବୋଲି କହିଥିଲେ। ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ କାର୍‌ଟି ସେଠାରେ ରହିଥିବା ଦେଖାଯାଇଥିଲା।