ଡ. ଜୟକୃଷ୍ଣ ପାଣିଗ୍ରାହୀ
ବିକାଶ ପ୍ରକ୍ରିୟା ଅସହନୀୟ ମାର୍ଗରେ ଅଗ୍ରସର ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ଉତ୍ସରୁ କ୍ଷତିକାରକ ରାସାୟନିକ ପଦାର୍ଥ ପରିବେଶ ମଧ୍ୟକୁ ନିଷ୍କାସିତ ହୋଇ ବାୟୁ, ଜଳ ଏବଂ ମୃତ୍ତିକାର ପ୍ରଦୂଷଣକୁ ତ୍ୱରାନ୍ବିତ କରୁଛି। ପରିଣାମରେ ଏସବୁର ଗୁଣବତ୍ତା ଅବକ୍ଷୟିତ ହୋଇ ପ୍ରତ୍ୟକ୍ଷ ରୂପେ ମାନବ ତଥା ଅନ୍ୟ ଜୀବଜନ୍ତୁଙ୍କର ସ୍ବାସ୍ଥ୍ୟକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଛି। ବିଶ୍ୱର ବିକଶିତ ରାଷ୍ଟ୍ରମାନେ କ୍ରମଶଃ ଏ ବିଷୟରେ ଅଧିକ ସଚେତନ ହେବା ସହ ପ୍ରଦୂଷଣ ସୃଷ୍ଟିକାରୀ ଉତ୍ସ ଏବଂ ପଦ୍ଧତିସବୁର ପ୍ରତିହତ ନିମନ୍ତେ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ, ବିକାଶଶୀଳ ରାଷ୍ଟ୍ରମାନେ ବିବିଧ ସାମାଜିକ ଓ ଅର୍ଥନୈତିକ ସମସ୍ୟାରେ ଜର୍ଜରିତ ହୋଇ ପ୍ରଯୁକ୍ତି କ୍ଷେତ୍ରରେ ବିଶେଷ ଅଗ୍ରଗତି ହାସଲ କରିପାରୁ ନାହାନ୍ତି ଏବଂ ପ୍ରଦୂଷଣ ରୋକିବାରେ ସେମାନଙ୍କର ଦକ୍ଷତାରେ ଆବଶ୍ୟକ ଉନ୍ନତି ସାଧିତ ହେଉନାହିଁ। ଏହି ପରିପ୍ରେକ୍ଷୀରେ, ଯେତେବେଳେ ବିଶ୍ୱର ରାଷ୍ଟ୍ରସମୂହର ରାଜଧାନୀ ସହରମାନଙ୍କର ବାୟୁ ଗୁଣବତ୍ତା ସୂଚକାଙ୍କ ଆଲୋଚନାର ପରିସରକୁ ଆସୁଛି, ସେତେବେଳେ ସର୍ବନିମ୍ନରେ ସ୍ଥାନିତ ହେଉଥିବା ଦିଲ୍ଲୀ ସହର ସର୍ବାଧିକ ପ୍ରଦୂଷିତ ରାଜଧାନୀର କୁଖ୍ୟାତି ଅର୍ଜନ କରୁଛି।
ପୃଥିବୀର ବିଭିନ୍ନ ଦେଶରୁ ସଂଗୃହୀତ ସରକାରୀ ତଥ୍ୟକୁ ଆଧାର କରି ସ୍ବିଜରଲାଣ୍ଡର ଆଇକ୍ୟୁଏଆର୍ (IQAir) କମ୍ପାନୀ ବାର୍ଷିକ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରସ୍ତୁତ କରେ। ବାୟୁ ପ୍ରଦୂଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବିଭିନ୍ନ ପ୍ରଦୂଷକ ପଦାର୍ଥ ମଧ୍ୟରୁ ୨.୫ ମାଇକ୍ରୋମିଟର ଆକାରର ସୂକ୍ଷ୍ମ କଣିକା ପଦାର୍ଥ (ପିଏମ୍ ୨.୫)ର ପରିମାଣକୁ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଏ। କମ୍ପାନୀର ୨୦୨୨ ମସିହା ରିପୋର୍ଟ ୧୩୧ଟି ଦେଶର ୭,୩୨୩ଟି ସହରର ବାୟୁରେ ଥିବା ପିଏମ୍ ୨.୫ର ତଥ୍ୟ ଉପରେ ଆଧାରିତ। ବିଶ୍ୱର ୧୧୬ଟି ରାଜଧାନୀ ସହର ତାଲିକାରେ ନୂଆଦିଲ୍ଲୀ ପ୍ରତି ଘନମିଟରରେ ବାର୍ଷିକ ହାରାହାରି ୮୯.୧ ମାଇକ୍ରୋଗ୍ରାମ ପିଏମ୍ ୨.୫ ସହ ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ରାଜଧାନୀର ମାନ୍ୟତା ହାସଲ କରିଛି, ଯେତେବେଳେ କି ଆଫ୍ରିକାର ଚାଦ୍ର ରାଜଧାନୀ ଏନ୍ଜାମିନା ୮୯.୭ ମାଇକ୍ରୋଗ୍ରାମ ସହ ଶୀର୍ଷରେ ରହିଛି। ପୂର୍ବ ଚାରି ବର୍ଷରେ ନୂଆଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ତାଲିକାରେ ଶୀର୍ଷରେ ରହିଥିଲା। ପରିତାପର ବିଷୟ ହେଉଛି ଯେ ପିଏମ୍ ୨.୫ର ବାର୍ଷିକ ହାରାହାରି ପରିମାଣକୁ ଆଧାର କରି ପ୍ରସ୍ତୁତ ଦୁନିଆର ୫୦ଟି ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ ଏବଂ ନୂଆଦିଲ୍ଲୀକୁ ଅନ୍ତର୍ଭୁକ୍ତ କରି ଭାରତର ସମୁଦାୟ ୩୯ଟି ସହର ତାଲିକାଭୁକ୍ତ ହୋଇଛି। ଏଥିରେ ନୋଏଡା, ଗୁରୁଗ୍ରାମ, ବୁଲନ୍ଦସହର, ମିରଟ୍, ଚର୍ଖୀ ଦାଦ୍ରି, ଜିନ୍ଦ୍, ଗାଜିଆବାଦ, ଫରିଦାବାଦ ଏବଂ ଗ୍ରେଟର ନୋଏଡା ଭଳି ସହର ମଧ୍ୟ ଅନ୍ତର୍ଭୁକ୍ତ।
ରାଜଧାନୀ ଦିଲ୍ଲୀର ପରିବେଶ ଏପରି କଳଙ୍କିତ ହେବାର ପୃଷ୍ଠଭୂମିରେ ଅନେକ କାରଣ ଅଛି। ସାଧାରଣତଃ ନଭେମ୍ବରରେ ହିଁ ପ୍ରଦୂଷଣର ମାତ୍ରା ସର୍ବାଧିକ ହୋଇ ଏକ୍ୟୁଆଇ ‘ମନ୍ଦ’, ‘ଅତି ମନ୍ଦ’ କିମ୍ବା ‘ଗମ୍ଭୀର’ ଶ୍ରେଣୀଭୁକ୍ତ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପରେ ବାୟୁ ପ୍ରବାହ କ୍ରମେ ମନ୍ଥର ହୁଏ ଏବଂ ପବନର ଦିଗ ପରିବର୍ତ୍ତନ ହୋଇ ଉତ୍ତର-ପଶ୍ଚିମ ଦିଗରୁ ଶୀତଳ ଓ ଶୁଷ୍କ ପବନର ଧୀର ପ୍ରବାହ ଘଟେ, ଯାହା ତାପମାତ୍ରାରେ ହ୍ରାସ ଘଟାଇବା ସହ ପ୍ରଦୂଷକ ପଦାର୍ଥ ବିସ୍ତାରଣରେ ବାଧା ଉପୁଜାଏ। ତେଣୁ ବିଭିନ୍ନ ଉତ୍ସରୁ ନିର୍ଗତ ପ୍ରଦୂଷକ ବାୟୁମଣ୍ଡଳରେ ଜମିରହି ଏହାର ଗୁଣବତ୍ତାରେ ଅବନତି ଘଟାନ୍ତି। ସର୍ବାଧିକ ସଂଖ୍ୟାର ଯାନବାହନ ଚଳପ୍ରଚଳ କରୁଥିବା ଏବଂ ଗହଳିପୂର୍ଣ୍ଣ, ଟ୍ରାଫିକ୍ ସମସ୍ୟାରେ ପ୍ରପୀଡ଼ିତ ଦିଲ୍ଲୀ ରାସ୍ତାରେ ୨୦୨୧-୨୨ରେ ମୋଟ ମୋଟରଯାନ ସଂଖ୍ୟା ଥିଲା ୭୯.୧୮ ଲକ୍ଷ, ଯାହା ହେଉଛି ଦିଲ୍ଲୀ ସରକାର ୧୦ ବର୍ଷରୁ ଅଧିକ ସମୟର ଡିଜେଲ ଯାନ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ ୩୫.୩୮% ହ୍ରାସ ପାଇଥିବା ସଂଖ୍ୟା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏବଂ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ(ନିରି) ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣରେ ଯାନବାହନ ନିର୍ଗମନକୁ ଏକ ପ୍ରମୁଖ ଯୋଗଦାନକାରୀ ରୂପେ ଅଭିହିତ କରିଛନ୍ତି।
ଅନ୍ୟପକ୍ଷରେ, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ପରି ପଡ଼ୋଶୀ ରାଜ୍ୟମାନଙ୍କରେ କୃଷକମାନେ ଫସଲ ଅମଳ ପରେ ଅବଶିଷ୍ଟାଂଶ ନଡ଼ାକୁ କୃଷି କ୍ଷେତ୍ରରେ ଜାଳିଦେବା ଦ୍ୱାରା ପ୍ରଦୂଷିତ ପଦାର୍ଥ ଓ ଧୂଳିକଣିକା ପବନ ପ୍ରବାହରେ ଦିଲ୍ଲୀ ଆକାଶରେ ପହଞ୍ଚି ପ୍ରଦୂଷଣ ବୃଦ୍ଧି କରେ। ପ୍ରତିବର୍ଷ ପାଖାପାଖି ୩୫ ନିୟୁତ ଟନ ନଡ଼ା ଜଳାଯାଉଥିବା ଆକଳନ ହୋଇଛି। ପବନ ସ୍ଥିର ହୋଇଯିବା ହେତୁ ଏହି ପ୍ରଦୂଷକଗୁଡିକ ବାୟୁରେ ଆବଦ୍ଧ ହୋଇ ରହନ୍ତି ଏବଂ ସୂର୍ଯ୍ୟାଲୋକରେ ଏସବୁର ପ୍ରତିକ୍ରିୟା ଘଟି ଧୂଆଁଳିଆ ପରିବେଶ(ସ୍ମଗ୍) ସୃଷ୍ଟି ହୁଏ, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ପ୍ରାୟ ୩,୧୮୨ଟି ଶିଳ୍ପ, କଳକାରଖାନା ଅବସ୍ଥିତ, ଯେଉଁଥିରୁ ସୃଷ୍ଟ ପ୍ରଦୂଷଣ ଦିଲ୍ଲୀର ବାୟୁ ଗୁଣବତ୍ତା ଅବନତିରେ ପ୍ରାୟ ୧୮.୬% ଯୋଗଦାନ କରିଥାଏ। ଦିଲ୍ଲୀ ପରିପାର୍ଶ୍ୱରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ନିମନ୍ତେ କାର୍ଯ୍ୟକାରୀ ଥିବା କେତେକ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ନିର୍ଗମନ କରୁଛନ୍ତି। ବିଭିନ୍ନ ଉତ୍ସରୁ ନିର୍ଗତ ଆବର୍ଜନାର ପରିମାଣରେ କ୍ରମଶଃ ବୃଦ୍ଧି ଘଟିଚାଲିଛି। ଏପ୍ରିଲ ୨୦୨୨ରେ ଦିଲ୍ଲୀରେ ପ୍ରତିଦିନ ଉତ୍ସର୍ଜନ ହୋଇଥିବା ୧୧,୨୯୩ ମେଟ୍ରିକ ଟନ(ଟିପିଡି) ବର୍ଜ୍ୟବସ୍ତୁରୁ ୬,୩୬୬ ଟିପିଡି ଖାଲୁଆ ସ୍ଥାନ ପୂରଣ (ଲ୍ୟାଣ୍ଡଫିଲ୍)ରେ ନିଷ୍କାସିତ ହୋଇଥିଲା। ପ୍ରଦୂଷଣର ଅନ୍ୟ ଏକ ଅପରାଧୀ ହେଉଛି ଦିଲ୍ଲୀ-ଏନ୍ସିଆରରେ କ୍ରମାଗତ ଚାଲୁଥିବା ବଡ଼ ଧରଣର ନିର୍ମାଣ କାର୍ଯ୍ୟ, ଯେଉଁଥିରୁ ବହୁ ପରିମାଣର ଧୂଳି ଓ କଣିକା ପଦାର୍ଥ ନିର୍ଗତ ହୁଏ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଦିଲ୍ଲୀର ବାୟୁ ଗୁଣବତ୍ତା ଯଥେଷ୍ଟ ନିମ୍ନମାନର। ଏହା ଏଠାକାର ସ୍ଥାୟୀ ଅଧିବାସୀଙ୍କର ଆୟୁଷରେ ପ୍ରାୟ ୧୨ ବର୍ଷ ହ୍ରାସ ଘଟାଉଛି ବୋଲି ଏକ ଅଧ୍ୟୟନ ସୂତ୍ରରୁ ପ୍ରକାଶ। ପ୍ରଦୂଷଣର ଭୟଙ୍କର ପରିଣାମ ଏବଂ ପ୍ରଦୂଷିତ ପରିବେଶକୁ ବର୍ଜନ କରିବା ବିଷୟରେ ସରକାର ସତର୍କତା ଜାରି କରୁଛନ୍ତି। କେତେବେଳେ ଯୁଗ୍ମ-ଅଯୁଗ୍ମ ସଂଖ୍ୟାର ଗାଡ଼ିକୁ ନିୟନ୍ତ୍ରିତ କରାଯାଉଛି ତ କେତେବେଳେ ଶିକ୍ଷାନୁଷ୍ଠାନ ସମୂହର ଛୁଟି ଘୋଷଣା ହେଉଛି। ତେବେ ଯେଉଁସବୁ ନିର୍ଦ୍ଦିଷ୍ଟ ଓ ଅନିର୍ଦ୍ଦିଷ୍ଟ ଉତ୍ସରୁ ପ୍ରଦୂଷଣ ଜନ୍ମ ନେଉଛି, ସେସବୁକୁ ଚିହ୍ନଟ କରି ମିଶନ ମୋଡ୍ରେ ପ୍ରତୀକାରାତ୍ମକ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଆରମ୍ଭ କରିଥିବା ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମରେ ୨୦୨୬ ସୁଦ୍ଧା ସହରମାନଙ୍କରେ କଣିକା ପଦାର୍ଥର ପରିମାଣରେ ୪୦% ହ୍ରାସ ଲକ୍ଷ୍ୟ ସାଧିତ ହେବା ବାଞ୍ଛନୀୟ। ବିଦ୍ୟୁତ୍ଚାଳିତ ଯାନ ବ୍ୟବହାର ସହ ସାଧାରଣ ପରିବହନକୁ ସୁଦକ୍ଷ କରିବା, ଶିଳ୍ପ କ୍ଷେତ୍ରରେ ସବୁଜ ପ୍ରଯୁକ୍ତିର ପ୍ରୟୋଗ, ନିର୍ମାଣ କାର୍ଯ୍ୟ ଓ ବର୍ଜ୍ୟ ନିଷ୍କାସନକୁ ନିୟନ୍ତ୍ରଣ, ବ୍ୟକ୍ତିଗତ ଶକ୍ତି ବ୍ୟବହାରରେ ମିତବ୍ୟୟିତା ଅବଲମ୍ବନ, ଅଧିକ ନଗରବନ ସ୍ଥାପନ ଓ ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ବୃଦ୍ଧି ଏବଂ ସର୍ବୋପରି ପ୍ରଚଳିତ ପ୍ରଦୂଷଣ ପ୍ରତିରୋଧ ନିୟମକୁ ସମ୍ମାନ ପ୍ରଦର୍ଶନପୂର୍ବକ ସବୁ ସ୍ତରରେ ସଚେତନତାର ବୃଦ୍ଧି ହିଁ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣ ରାକ୍ଷସ କବଳରୁ ମୁକ୍ତି ପ୍ରଦାନ କରିପାରିବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:9437076100