ପ୍ରଦୂଷଣ ବିରୋଧରେ ବିପ୍ଳବ: ଖାଦ୍ୟ ନଷ୍ଟ ରୋକିବାକୁ ଫ୍ରାନ୍ସର ପ୍ରୟାସ

ପ୍ୟାରିସ୍‌,୨୯ା୯: ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ଦିଗରେ ଫ୍ରାନ୍ସ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସାରା ବିଶ୍ୱରେ ପ୍ରତିଦିନ ପ୍ରଚୁର ଖାଦ୍ୟ ନଷ୍ଟ ହୋଇଥାଏ। ପରିବେଶ ପ୍ରଦୂଷଣର ଏହା ଅନ୍ୟତମ କାରଣ। ତେବେ ଖାଦ୍ୟ ନଷ୍ଟ ହେବାରୁ ରକ୍ଷା କରିବାରେ ଫ୍ରାନ୍ସ ବିପ୍ଳବ ଆଣିବା ସହ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ୨୦୨୫ ସୁଦ୍ଧା ଦେଶକୁ ଖାଦ୍ୟ ନଷ୍ଟରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଲାଗି ଲକ୍ଷ୍ୟ ରଖିଛି।
ଫ୍ରାନ୍ସ ବିଶ୍ୱର ବିଭିନ୍ନ ଦେଶକୁ ଖାଦ୍ୟ ରପ୍ତାନି କରିଥାଏ। ଜାତୀୟ ସ୍ତରରେ ଏହା କେବଳ କମ୍‌ ଖାଦ୍ୟ ନଷ୍ଟ କରେ ତାହା ନୁହେଁ, ସମସ୍ତେ ଯେପରି ଖାଦ୍ୟ ପାଇପାରିବେ ତାହା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ। ଏଥିପାଇଁ ସେଠାକାର ଲୋକଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଘଟିଛି। ୨୦୧୨ରୁ ଫ୍ରାନ୍ସ କେତେଗୁଡ଼ିଏ ଖାଦ୍ୟନୀତି କାର୍ଯ୍ୟକାରୀ କରିଆସୁଛି। ଏହାର ବର୍ଜ୍ୟ ପରିଚାଳନା କାର୍ଯ୍ୟକାରିତା ଆଇନ ଜୈବ ବର୍ଜ୍ୟ କମାଇବାରେ ସହାୟକ ହୋଇଛି। ପୂର୍ବରୁ ସେଠାରେ ବର୍ଷକୁ ୧୨୦ ଟନ୍‌ରୁ ଊର୍ଦ୍ଧ୍ୱ ଜୈବ ବର୍ଜ୍ୟକୁ ରିସାଇକ୍ଲିଂ କରିବାକୁ ପଡୁଥିଲା, ଯେଉଁଥିରେ ଘରୋଇ କମ୍ପାନୀଗୁଡ଼ିକୁ ନିୟୋଜିତ କରାଯାଉଥିଲା। ଏବେ ତାହାକୁ ୧୦ ଟନ୍‌କୁ ହ୍ରାସ କରାଯାଇଛି,ଅର୍ଥାତ୍‌ ଦିନକୁ ୩୦ କିଲୋଗ୍ରାମର କମ୍‌ ଜୈବ ବର୍ଜ୍ୟ ବାହାରୁଛି। ବର୍ଜ୍ୟ ନିଷ୍କାସନ କରୁଥିବା ସୁପରମାର୍କେଟ, କୃଷି କମ୍ପାନୀ ସମେତ ସମୁଦାୟ ହସ୍ପିଟାଲିଟି ସେକ୍ଟର ଲାଗି ୭୫ ହଜାର ୟୁରୋ ଜରିମାନା ବ୍ୟବସ୍ଥା କରାଯାଇଛି।

Share