ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପରାମର୍ଶ: ୩୦ ଯାଏ ଜାରି ରହୁ ଲକ୍‌ଡାଉନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଅନୁପାଳନ ହେବା ଆବଶ୍ୟକ। ଏଥିପାଇଁ ଲକ୍‌ଡାଉନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ କରୋନା ଭୂତାଣୁ ସଂକ୍ରମଣ ଓ ଏହାର କୁପ୍ରଭାବକୁ ହ୍ରାସ କରିବା ପାଇଁ ଲକ୍‌ଡାଉନ ଅବଧି ବୃଦ୍ଧି କରାଯିବାର ଆବଶ୍ୟକ। ରାଜ୍ୟସ୍ତରରେ ଲକ୍‌ଡାଉନ ବୃଦ୍ଧି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେବା ପରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଉପରୋକ୍ତ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୩୦ ଯାଏ ଓଡ଼ିଶାରେ ଲକ୍‌ଡାଉନ ବଳବତ୍ତର ରହିବ।

ଏତଦ୍‌ବ୍ୟତୀତ ୩୦ ଯାଏ ଜାତୀୟସ୍ତରରେ ଲକ୍‌ଡାଉନ ସହ ଉଭୟ ରେଳପଥ ଏବଂ ବିମାନ ସେବା ବନ୍ଦ ରଖିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ ଦ୍ୱାରା ତୃଣମୂଳରେ ଥିବା ସାଧାରଣ ଜନତା ବହୁଳ ପ୍ରଭାବିତ ହେଉଛନ୍ତି। ତେଣୁ ସାମାଜିକ ଦୂରତା ରକ୍ଷାକରି କିଛି ପରିମାଣରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଅଧୀନରେ କାର୍ଯ୍ୟ ଆରମ୍ଭ ପାଇଁ କୁହାଯାଇଛି। କରୋନା ମୁକାବିଲା କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପରେ ରାଜ୍ୟ ପକ୍ଷରୁ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିଭଳି ଓଡ଼ିଶାରେ ଲକ୍‌ଡାଉନ ଫସିରହିଥିବା ଯୋଗୁ ଅନ୍ୟ ରାଜ୍ୟର ଶ୍ରମିକ, ସାଧାରଣ ଜନତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ରାଜ୍ୟ ପକ୍ଷରୁ କୁହାଯାଇଛି।

Share