Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ସିଏଏ,ଏନ୍‌ଆର୍‌ସି ପ୍ରତ୍ୟାହାର କର

କୋଲକାତା,୧୨ା୧(ପି.ଟି.): ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ଭେଟିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନର ବିଭିନ୍ନ ପ୍ରସଙ୍ଗ ଉପରେ ପୁନର୍ବିଚାର କରିବା ସହ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରତ୍ୟାହାର କରିନେବା ପାଇଁ ସେ ମୋଦିଙ୍କୁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଯିବାକୁ ମୋଦି ତାଙ୍କୁ କହିଥିବା ମମତା ଖବରଦାତାମାନଙ୍କୁ ଜଣାଇଛନ୍ତି। ରାଜ୍ୟ ପାଇବାକୁ ଥିବା କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ ମଧ୍ୟ ସେ ଉପସ୍ଥାପନ କରିଥିଲେ। ୨୮,୦୦୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଏପର୍ଯ୍ୟନ୍ତ ମିଳି ନ ଥିବା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ସେ ବିରୋଧ କରୁଥିବା କହିବା ସହ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ ବୋଲି ମମତା କହିଛନ୍ତି।
ବିରୋଧୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଶନିବାର ଅପରାହ୍ନରେ କୋଲକାତାର ଏନ୍‌ଏସ୍‌ସି ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖର, କୋଲକାତା ମେୟର, ରାଜ୍ୟ ମନ୍ତ୍ରୀ ଫିରହାଦ ହାକିମ୍‌, ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଓ ଦଳର ବରିଷ୍ଠ ନେତାମାନେ ସ୍ବାଗତ କରିଥିଲେ। ଶତାଧିକ ବିକ୍ଷୋଭକାରୀ କଳାପତାକା ଧରି କୋଲକାତା ବିମାନବନ୍ଦର ବାହାରେ ପ୍ରତିବାଦ ଜଣାଇଥିଲେ। ବିମାନବନ୍ଦରରୁ ଏକ ହେଲିକପ୍ଟର ଯୋଗେ ସେ ରୟାଲ କୋଲକାତା ଟର୍ଫ କ୍ଲବ୍‌ ଯିବା ପରେ ସେଠାରୁ ରାଜଭବନ ଯାଇଥିଲେ। ରବିବାର ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ।
ସାକ୍ଷାତ କରି ଫେରିବା ପରେ ମମତା ସିଧା ଟିଏମ୍‌ସି ଛାତ୍ର ସଂଗଠନର ସିଏଏ ବିରୋଧୀ ଧାରଣାସ୍ଥଳକୁ ଯାଇଥିଲେ। ପଶ୍ଚିମବଙ୍ଗରେ ସିଏଏ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେ ସେଠାରେ ଦୋହରାଇଥିଲେ। ବିକ୍ଷୋଭସ୍ଥଳରେ ବାମଦଳ ସମର୍ଥତ୍ତ ଛାତ୍ରଗୋଷ୍ଠୀ ମମତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସେ କ’ଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଥିଲେ।

Share