ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ ଦାବି ରଖିଲେ ନବୀନ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କରୋନା(କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ରହିଛି। ଅବଶିଷ୍ଟ ପରୀକ୍ଷା ଶେଷ ହେବା ପରେ ଜାତୀୟ ସ୍ତରରେ ହେଉଥିବା ଏନ୍‌ଇଇଟି, ଜେଇଇ ମେନ, ସିଏଲ୍‌ଏଟି ଭଳି ପ୍ରବେଶିକା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।
କରୋନା ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଦିନ ହେବ ଆଲୋଚନା କରୁଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନବୀନଙ୍କ ସହ ରାଜ୍ୟର କରୋନା ମୁକାବିଲା ଓ ଅନ୍ୟାନ୍ୟ ବିଷୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ୩ଟି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଜୁନ ମାସ ଅତ୍ୟନ୍ତ କଠିନ ସମୟ। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ପୂର୍ବଭଳି ରାଜ୍ୟକୁ ଟ୍ରେନ୍‌ ଓ ବିମାନ ସେବା ଉପରେ କଟକଣା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି ଉପସାଗରୀୟ ଦେଶଗୁଡ଼ିକରେ ଓଡ଼ିଶାର କେତେକ ଲୋକ ରହିଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକେ ଛୋଟ ଛୋଟ ଚାକିରି କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share