ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ପାଇଁ କବାଟ ନ ଖୋଲିବାରୁ ପଦରୁ ହଟିଲେ ୨୦ ଅଧିକାରୀ

ଇସ୍‌ଲାମାବାଦ,୨୪।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ପାଇଁ କବାଟ ନ ଖୋଲିବା କିଛି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ୨୦ ସରକାରୀ ଅଧିକାରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ଫେବୃୟାରୀ ୨୦ରେ ପ୍ରଶାସନକୁ କିଛି ସୂଚିତ ନ କରି ବୁଶରା ବିବି ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଧର୍ମସ୍ଥଳକୁ ଯାତ୍ରା କରିଥିଲେ।

 

ପାକପଟ୍ଟନ ଜିଲାରେ ଥିବା ବାବା ଫରୀଦଙ୍କ ଦରଘାକୁ ଯାଇଥିବା ବେଳେ ବୁଶରା ବିବିଙ୍କ ପାଇଁ ନିର୍ଦ୍ଧାରିତ ହୋଇଥିବା ପ୍ରୋଟକଲ ପାଳନ ହୋଇ ନ ଥିଲା। ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ବେହେଶଟ୍ଟୀର କବାଟକୁ ଖୋଲି ନ ଥିଲେ। ଏହାକୁ ନେଇ ସେ କ୍ରୋଧ ପ୍ରକାଶ କରିଥିଲେ। ବେହେଶଟ୍ଟୀର କବାଟକୁ ସ୍ବର୍ଗର କବାଟ ବୋଲି କୁହାଯାଏ। ତେବେ ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ୨୦ଜଣଙ୍କୁ ବଦଳି କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share