Categories: ଖେଳ

ପ୍ରଧାନମନ୍ତ୍ରୀଙ୍କ ଭାରତ ଲକ୍ଷ୍ମୀ ଅଭିଯାନକୁ ମହିଳା କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୭।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତ ଲକ୍ଷ୍ମୀ’ ଅଭିଯାନକୁ ଦେଶର ମହିଳା କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ଅଭିଜ୍ଞ ମହିଳା ବକ୍ସର ଏମ୍‌ସି ମେରୀକମ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ସିନ୍ଧୁ, ମେରୀକମଙ୍କ ସମେତ ବକ୍ସର ନିଖାତ ଜରିନ, ମହିଳା ରେସଲର ପୂଜା ଧଣ୍ଡା ଓ ଟେବୁଲ ଟେନିସ ତାରକା ମନିକା ବାତ୍ରା ଟୁଇଟ୍‌ କରି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।
ଦୀପାବଳି ଅବସରରେ ମହିଳାଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ଓ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଏହି ସବୁ ମହିଳା ଖେଳାଳି ଟୁଇଟ୍‌ କରିଛନ୍ତି। ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କ ସମ୍ମାନ ଲାଗି ଏକ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗତମାସ ନିବେଦନ କରିଥିଲେ। ଆମ ସଂସ୍କୃତିରେ ଝିଅପିଲାଙ୍କୁ ଦେବୀ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ତେଣୁ ଝିଅପିଲାଙ୍କୁ ଉଚିତ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Share