Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ ରହିଛି ଗୁଜରାଟର ଗାନ୍ଧୀନଗରରେ ଏକ ବାସୋପଯୋଗୀ ଜମି, ୧.୨୭ କୋଟି ଟଙ୍କାର ସ୍ଥାୟୀ ଜମା ଏବଂ ନଗଦ ୩୮,୭୫୦ ଟଙ୍କା। ମୋଟ ସମ୍ପତ୍ତି ମଧ୍ୟରୁ ଅସ୍ଥାବର ସମ୍ପତ୍ତି ୧.୪୧ କୋଟି ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୧.୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଟିକସ ସଞ୍ଚୟ ଇନ୍‌ଫ୍ରା ବଣ୍ଡ୍‌ରେ ସେ ୨୦ ହଜାର ଟଙ୍କା ରଖିଥିବାବେଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନଏସସି)ରେ ୭.୬୧ ଲକ୍ଷ ଏବଂ ଏଲ୍‌ଆଇସିରେ ୧.୯ ଲକ୍ଷ ଟଙ୍କା ଜମା କରିଛନ୍ତି। ସଞ୍ଚୟ ବ୍ୟାଙ୍କ ଖାତାରେ ମୋଦିଙ୍କର ୪୧୪୩ ଟଙ୍କା ରହିଛି। ଏହାବ୍ୟତୀତ ତାଙ୍କର ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୧୩ ଲକ୍ଷ ଟଙ୍କା। ଗାନ୍ଧୀନଗର ସେକ୍ଟର-୧ରେ ପ୍ରଧାନମନ୍ତ୍ରୀଙ୍କର ୩୫୩୧ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି, ଯାହାର ଦାମ୍‌ ୧.୧ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ସରକାରୀ ବେତନ ଏବଂ ବ୍ୟାଙ୍କ ସୁଧକୁ ଆୟ ଉତ୍ସରେ ସାମିଲ କରିଥିଲାବେଳେ ସ୍ତ୍ରୀଙ୍କ ଆୟ ଉତ୍ସ ଏବଂ ବୃତ୍ତି କିମ୍ବା ପେସା ସମ୍ପର୍କରେ ଜାଣି ନ ଥିବା ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ରେ ଏମ୍‌.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ୧୯୬୭ରେ ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷାରେ ପାଶ୍‌ କରିଥିଲେ। ଯଶୋଦାବେନ୍‌ ତାଙ୍କ ସ୍ତ୍ରୀ ବୋଲି ମୋଦି ସତ୍ୟପାଠରେ ଦର୍ଶାଇଛନ୍ତି। ମୋଦିଙ୍କ ନାମରେ କୌଣସି ଅପରାଧ ମାମଲା ନାହିଁ ଏବଂ ସରକାରଙ୍କର ତାଙ୍କର ଉପରେ କୌଣସି ବକେୟା ନ ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୦୧୪ରେ ନାମାଙ୍କନପତ୍ର ଦାଖଲ ବେଳେ ମୋଦି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୬୫ କୋଟି ଟଙ୍କା ଦର୍ଶାଇଥିଲେ।

Share