ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସମସ୍ତ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ଏହି ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ନ ହଟିବା ଯାଏ ଏଭଳି କଟକଣା ବଳବତ୍ତର ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଆସନ୍ତା ଜୁନ ୨୩ରେ ହେବାକୁ ଥିବା ଶ୍ରୀଜୀଉଙ୍କ ରଥଯାତ୍ରା କିପରି ହେବ ସେନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ରଥଯାତ୍ରାର ପ୍ରାୟ ଦେଢମାସ ଆଗରୁ ପ୍ରସ୍ତୁତ ହେବାକୁ ପଡିଥାଏ। ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟା ପଡୁଛି। ସେହିଦିନ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଭଳିସ୍ଥିତିରେ ରଥଯାତ୍ରା ହେବ କି ନାହିଁ ସେନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଶହଶହ ବର୍ଷ ଧରି ଚାଲି ଆସୁଥିବା ଏହି ମହାନ ପରମ୍ପରାକୁ ନେଇ ଉଭୟ ଆଲୋଚନା କରିଛନ୍ତି। ରଥଯାତ୍ରା ସମୟରେ ପୁରୀରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଉଛି। ତେଣୁ କିପରି ଭାବେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ପାରିବ ସେନେଇ ଉଭୟ ଆଲୋଚନା କରିଛନ୍ତି। ତେବେ ରଥଯାତ୍ରା ହେବ କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଦ୍ୱାଦଶ ଶତାବ୍ଦୀରୁ ଚଳି ଆସୁଥିବା ଏହି ବିଶ୍ୱ ପ୍ରସିଦ୍ଧ ପରମ୍ପରାକୁ ବଜାୟ ରଖିବା ନେଇ ଉଭୟ କଂଗ୍ରେସ ଓ ଭାଜପା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। କରୋନା ସଂକ୍ରମଣ କଟକଣା ଯୋଗୁ ଶ୍ରୀମନ୍ଦିରରେ ମାର୍ଚ୍ଚ୨୨ତାରିଖରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ କେତେକ ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରାଯାଉଛି। ରାଜ୍ୟରେ କୋଭିଡ-୧୯ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ ୯୪ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣେ ବ୍ୟକ୍ତିଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ସୂଚନା ଦେଇଥିବା ଜଣାପଡ଼ିଛି।

Share