ପ୍ରଧାନମନ୍ତ୍ରୀ ଆବାସ ଫେରିଯିବା ଆଶଙ୍କା, ଭୂମିହୀନଙ୍କୁ ମିଳୁନି ଘରଡିହ ପଟ୍ଟା

ବଡ଼ସାହି,୫ା୯(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମର କେତେକ ଭୂମିହୀନ ପରିବାର ଘରଡିହ ପଟ୍ଟା ଦାବିରେ ବୁଧବାର ବଦଳି ଗାଁରେ ଥିବା କୁରାଡ଼ିହା ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ଗ୍ରାମର ରାଜୁ ସିଂ, ସାନୁ ସିଂ, ବିଶ୍ୱନାଥ ବିନ୍ଧାଣୀ, ଶ୍ରୀଧର ସିଂ, ଶିବାନୀ ସିଂ, ଫୁତୁଲ ସିଂ ଓ ଚୈତନ୍ୟ ସିଂଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣର କାର୍ଯ୍ୟାଦେଶ ଆସିଛି ା ମାତ୍ର ଘରଡ଼ିହ ନ ଥିବାରୁ ଘର ଫେରିଯିବ ବୋଲି ସେମାନେ ଚିନ୍ତାରେ ଦିନ କାଟୁଛନ୍ତି। ଏମାନଙ୍କ ବ୍ୟତୀତ ଗ୍ରାମର ରଘୁନାଥ ସିଂ, ଶୁକୁରା ସିଂ, ରାମ ସିଂ ଓ ଶ୍ୟାମସୁନ୍ଦର ସିଂ ମଧ୍ୟ ଭୂମିହୀନ। ଦୀର୍ଘଦିନ ହେଲା ସେମାନେ ୪ ଡେସିମିଲ ସରକାରୀ ଜାଗା ପାଇଁ କୁରାଡିହା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଜାଗା ମିଳି ପାରି ନାହିଁ। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ଗ୍ରାମରେ ଯଦି ବଳକା ସରକାରୀ ଜାଗା ଥିବ ତେବେ ତଦନ୍ତ ପରେ ଆବେଦନକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ା