ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାକୁ ନେଇ ଭାଜପା ଏବଂ ଶାସକ ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ବିଜୁବାବୁଙ୍କ ଫଟୋ କାହିଁକି ବଡ଼ ଆକାରରେ ଲଗାଯାଉଛି ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିଥିଲେ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ଯଦି କେନ୍ଦ୍ର ଓ ରାଜ୍ୟ ମିଶିକି ଟଙ୍କା ଦେଉଛନ୍ତି ତାହାର ରେସିଓ ଫଳକରେ ଲେଖାଯାଉ। ଖାଲି ବିଜୁବାବୁଙ୍କ ଲୋଗୋ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋଗୋ କାହିଁକି ଲିଭାଯାଉଛି। ସବୁ ଯୋଜନାରେ ବିଜୁବାବୁଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ବି ଦିଆଯାଉ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଅଧିକ ଅନୁଦାନ ଦିଅନ୍ତି। କଂଗ୍ରେସ ଅମଳରେ ୫୦ ଲକ୍ଷରୁ ଅଧିକ ଘର ମିଳି ନ ଥିଲା। ୨୦୨୨ ସୁଦ୍ଧା କେମିତି ସମସ୍ତଙ୍କୁ ଘର ମିଳିବ ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢନ୍ତୁ। ଅବରୋଧ ନ କରନ୍ତୁ। ଏହାର ଜବାବରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଭିନ୍ନ ଆବାସ ଯୋଜନାରେ ୧୦୦ ପ୍ରତିଶତ କେନ୍ଦ୍ର ସରକାର ଦିଅନ୍ତି। ଆଉ କିଛି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମିଶିକରି ଦିଅନ୍ତି। ଆଉ କିଛି ରାଜ୍ୟ ସରକାର ନିଜେ କରନ୍ତି। ଜବାହରଲାଲ ନେହେରୁଙ୍କ ସମୟରୁ ୧୦୦ ପ୍ରତିଶତ କେନ୍ଦ୍ର ଦେଉଥିଲା। କିନ୍ତୁ ମୋଦି ଆସିବା ପରେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ଗତ ୩ ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ସେଥିରୁ ରାଜ୍ୟ ନିଜେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଆର୍ଥିକ ବୋଝ ବଢିବାରୁ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶ୍ରଣ କଲୁ। ବିଜୁବାବୁଙ୍କ ଯୋଜନାରେ ତାଙ୍କ ଲୋଗୋ କାହିଁକି ରହିବ ନାହିଁ। ଏହା ବିରୋଧୀଙ୍କ ହୀନ ମାନସିକତା। ଆମେ ତ ପଶ୍ଚିମବଙ୍ଗ ଭଳି ବଙ୍ଗଳା ସଡ଼କ ଯୋଜନା କରିନାହୁଁ । ଲୋକେ ଯେମିତି ଠିକ୍‌ ଭାବେ ଏହି ଯୋଜନାର ସୁବିଧା ପାଇବେ ସେ ଦିଗରେ କାମ କରି ତୁ ତୁ ମେଁ ମେଁ ହେବା କଥା ନୁହେଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ।

Share