‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ରେ ଅନ୍ତର୍ଭୁକ୍ତ ଚାଷୀଙ୍କ ତାଲିକା ମାଗିଲା କେନ୍ଦ୍ର, କୃଷିମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର ପଠାଯିବ

ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ଏକ ତାଲିକା ରାଜ୍ୟକୁ ମାଗିଛନ୍ତି। ଆସନ୍ତା ଜୁଲାଇ ୩୧ ମଧ୍ୟରେ ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତେବେ ଏ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କେନ୍ଦ୍ର ସରକାର ଉକ୍ତ ଯୋଜନାରେ ସାମିଲ ଥିବା ରାଜ୍ୟର ୪୬ଲକ୍ଷ ହିତାଧିକାରୀଙ୍କ ଏକ ତାଲିକା ମାଗିଛନ୍ତି। ଚୁଡ଼ାନ୍ତ ତାଲିକା ଲାଗି ଏବେ ସଂଶୋଧନ ଜାରି ରହିଛି। ଖୁବ୍‌ଶୀଘ୍ର କେନ୍ଦ୍ର ନିକଟକୁ ତାଲିକା ପଠାଯିବ।
ଏବେ ସୁଦ୍ଧା ଏହି ଯୋଜନାରେ ୧୨.୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଦିଆଯାଇଛି। ଏଥିମଧ୍ୟରୁ ୯ ଲକ୍ଷ ୩୬ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। କିନ୍ତୁ ଏହି ଯୋଜନାରେ ବଡ଼ ଚାଷୀଙ୍କୁ ସାମିଲ କରିବା ନେଇ କେନ୍ଦ୍ର ଅବଗତ କରାଇ ନ ଥିବା ଅରୁଣ କହିଛନ୍ତି। ତେବେ ବଡ଼ ଚାଷୀଙ୍କୁ ସାମିଲ କରାଯିବାକୁ ଏବେ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ରହିଛି ବୋଲି ସେ ମଧ୍ୟ କହିଛନ୍ତି।

Share