ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ବିରୁଷ୍କା

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଥିଲେ। ଏହାପରେ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ସହାୟତାର ହାତ ବଢ଼ାଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ସହାୟତାର ହାତ ବଢ଼ାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆ ଜରିଆରେ ସେମାନେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହ ବିରାଟ ଟୁଇଟରରେ ଟୁଇଟ କରି କହିଛନ୍ତି, ଅନେକ ଲୋକଙ୍କୁ ଦୁଃଖରେ ଦେଖି ବହୁ କଷ୍ଟ ଅନୁଭବ ହେଉଛି। ତେବେ ଆଶା କରୁଛୁ ଆମର ଏହି ଯୋଗଦାନ ଦ୍ୱାରା କେତେକ ଲୋକଙ୍କୁ ସହାୟତା ମିଳିବା ସହ ତାଙ୍କର ଯନ୍ତ୍ରଣା ହ୍ରାସ ହୋଇପାରିବ ବୋଲି ବିରାଟ କହିଛନ୍ତି। ତେବେ ସେମାନେ କେତେ ଟଙ୍କା ଦାନ କରିବେ ସେନେଇ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।