ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା

ସୁନ୍ଦରଗଡ ,୧।୫ (ଡି.ଏନ୍‌.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର ଲୋକ। ଏହି କ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଗାଁ ଗାଁ ବୁଲି କୋଭିଡ-୧୯ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ମାକ୍ସ ବଣ୍ଟନ କରୁଛନ୍ତି। ଅସହାୟ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ନିବେଦନ କରୁଛନ୍ତି। ଏଥିସହ କୋଭିଡ-୧୯ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠି ପାଇଁ ବିଧାୟିକା ଘର ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ଗତ ୨ଦିନ ଧରି ବିଧାୟିକା ସୁନ୍ଦରଗଡ଼ ପୌରାଞ୍ଚଳ ସମେତ ସଦର ବ୍ଲକର କୁଲଟା ପଞ୍ଚାୟତର ଘୁମଡ଼ା ଓ ରୂପିଡିହି ଗ୍ରାମରେ ଘର ଘର ବୁଲି ଏହି ପାଣ୍ଠି ସଂଗ୍ରହ କରୁଛନ୍ତି। ଜିଲା ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦାମ ହୋତା, ବିଧାୟିକା ପ୍ରତିନିଧି ଭୀମସେନ ନାଏକ, ମାଧବ ସା, ନିମାଇଁ ନାଏକ, ଆଇନଜୀବୀ ଉମାଶଙ୍କର ପଟେଲ, ସୁପ୍ରଭା ପଟେଲ, ପୂର୍ବତନ ସରପଞ୍ଚ ସୁଷମା ନାଏକ ପ୍ରମୁଖ ଏଥିରେ ସାମିଲ ଥିଲେ।
ସେହିପରି ସୁନ୍ଦରଗଡ ପୌରାଞ୍ଚଳର ଓାର୍ଡ ନଂ. ୧୪.୧୬,୧୮ରେ ମଧ୍ୟ ବିଧାୟିକା ଘର ଘର ବୁଲି ପାଣ୍ଠି ସଂଗ୍ରହ ସହ ଲୋକଙ୍କୁ ସଚେତନ କରିଥିଲେ। ଗରବ, ଅସହାୟ ଓ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ବରିଷ୍ଠ ଭାଜପା ନେତା ସୁରେନ୍ଦ୍ର ସ୍ବର୍ଣ୍ଣକାର, ଯୁବନେତା ମନୀଷ ପଟେଲ, ସାଗର ସାହୁ, ଆଶୀଷ ପଟେଲ, ରୂପେଶ ପଟେଲ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।