ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ଆନ୍ଦୋଳନ: ରାସ୍ତାରେ ବସିଲେ ଅଭିଭାବକ, ସ୍କୁଲ ହତାରେ ଛାତ୍ରୀଛାତ୍ର

ଜଳେଶ୍ୱର,୨୮।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବଡ଼ବଜାରସ୍ଥିତ ଟାଉନ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଓ ବଦଳି ଆଦେଶକୁ ବିରୋଧ କରି ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦିନତମାମ ଆନ୍ଦୋଳନ ଓ ଗଣଧାରଣାରେ ବସିଥିଲେ। ସମାଧାନର ସୂତ୍ର ନ ବାହାରିବାରୁ ବୁଧବାର ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀମାନେ ଜଣାଇଛନ୍ତି।

ଜଳେଶ୍ୱର ଟାଉନ ହାଇସ୍କୁଲର ଛାତ୍ର ସବ୍ୟସାଚୀ ବେହେରା ନାମକ ଛାତ୍ରଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୧ମାସ ପରେ ବାଲେଶ୍ୱର ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗତ ୨୦ତାରିଖରେ ନିଲମ୍ବନ କରିଥିଲେ। ଏହି ନିର୍ଦ୍ଦେଶନାମାରେ ମେମୋ ଚିଠି ନଂ.ରେ ୧୦ା୧ା୨୦୨୦ ଲେଖା ଥିବା ବେଳେ ନିର୍ଦ୍ଦେଶ ତାରିଖ ୧୭ତାରିଖ ବୋଲି ଲେଖାଅଛି ା ଏହି ଚିଠି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ୨୦ତାରିଖରେ ପହଞ୍ଚିଥିଲା। ଫଳରେ ଗତ ୨୫ ତାରିଖ ଅପରାହ୍ନରେ ଅଭିଭାବକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ଖବରଦାତା ସମ୍ମିଳନୀରେ ଚିଠିରେ ଥିବା ତ୍ରୁଟି ଓ ନିଲମ୍ବନ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ମଙ୍ଗଳବାର ବିଦ୍ୟାଳୟ ଖୋଲିବା ପରେ ଫାଟକ ବାହାରେ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଦାସ, ବିନ୍ଦୁମତୀ ଗିରି, ସଞ୍ଜୁକ୍ତା ନନ୍ଦ, ଅନୁପ ସାହୁ, ଗୌରହରି ପାଳ, ଜୁମୁନି ବିବି, ରିଙ୍କି ଖଟିକ୍‌, ଜ୍ୟୋସ୍ନା ସିଂ, ନିତାଇ ଜେନା, ଗୀତାଞ୍ଜଳି ବାରିକ, ବନ୍ଦନା ପୃଷ୍ଟି, ଅମର ଗୁପ୍ତା, ସସ୍ମିତା ବିଦ୍‌, ସୁପ୍ରିୟା ଭୂୟାଁ, ମିତାରାଣୀ ଜେନା, ଗୁରୁବାରୀ ହେମ୍ବ୍ରମ ପ୍ରମୁଖଙ୍କ ନେତୃତ୍ୱରେ ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ କେତେକ ପୁରାତନ ଛାତ୍ର ଆନ୍ଦୋଳନରେ ବସିଥିଲେ। ଫାଟକ ଭିତରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଧାରଣାରେ ବସିଥିଲେ। ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଓ ବଦଳି ବାତିଲ ନିମନ୍ତେ ସେମାନେ ସ୍ଲୋଗାନ ଦେଇଥିଲେ। ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଓ ଆଇଆଇସି ଧନେଶ୍ୱର ସାହୁ ସଦଳବଳେ ପହଞ୍ଚତ୍ ଘଟଣାର ସମାଧାନ କରିବାକୁ ଚାହିଁଥିଲେ। କିନ୍ତୁ ଆନ୍ଦୋଳନକାରୀ ଓ ଛାତ୍ରୀଛାତ୍ର ସେମାନେ ଜିଦ୍‌ରେ ଅଟଳ ରହିବାରୁ ବିଇଓ ବାଲେଶ୍ୱର ଡିଇଓ ଏବଂ ଆଇଆଇସି ଏସ୍‌ପିଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ।

Share