ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ନ ଆସିବା ଘଟଣା: ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ମାଗିଲେ ବିଇଓ; ଧରିତ୍ରୀ ପ୍ରଭାବ

ଭବାନୀପାଟଣା,୨୮।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିନ୍ଦିପଦର ପଞ୍ଚାୟତ ବାର୍ଷିକୋଣା ନୂତନ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରୋହିତ ମାଝି ନିୟମିତ ସ୍କୁଲ ଆସୁ ନ ଥିବା ନେଇ ସ୍କୁଲ ସହକାରୀ ଶିକ୍ଷୟିତ୍ରୀ, ପାଚିକା ତଥା ପରିଚାଳନା କମିଟି ସଭାପତି ଅଭିଯୋଗ କରିଥିଲେ। ଫଳରେ ଏହି ସ୍କୁଲରେ ପାଠପଢା ସହ ମଧ୍ୟାହ୍ନ ଭୋଜନ ପରିଚାଳନାରେ ବ୍ୟାଘତ ସୃଷ୍ଟି ହେଉଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଗତ ୧୮ ତାରିଖ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ଦେଖିବାକୁ ମିଳିଛି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ଭାରପ୍ରାପ୍ତ ଶିକ୍ଷାଧିକାରୀ ସଞ୍ଜୀବ ନାଏକ ଏହି ଘଟଣାର ତଦନ୍ତ କରି ସମ୍ପକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ମାଗିଥିବା ଜଣାପଡିଛି।