Categories: ଜାତୀୟ

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ମୁମ୍ବାଇ,୧୬ା୧୦(ପି.ଟି.): ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀ ତଥା ଗ୍ୟାଙ୍ଗଷ୍ଟର ଇକ୍‌ବାଲ ମିର୍ଚି ସହ ସମ୍ପତ୍ତି କାରବାର ଅଭିଯୋଗରେ ବରିଷ୍ଠ ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମିର୍ଚିର ବେଆଇନ ସମ୍ପତ୍ତି ସହ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ଇଡି ୧୮ ତାରିଖରେ ହାଜର ହେବା ଲାଗି ପ୍ରଫୁଲ୍ଲଙ୍କୁ ନୋଟିସ ଦେଇଛି। ଇଡି ପାଖରେ କିଛି କାଗଜପତ୍ର ଥାଇପାରେ, ଯାହା ତାଙ୍କ ନଜରକୁ ଆସିନାହିଁ ବୋଲି ଏନ୍‌ସିପି ନେତା କହିବା ସହ ମିର୍ଚିଙ୍କ ସହ ତାଙ୍କର ଡିଲ୍‌କୁ ଖଣ୍ଡନ କରିଛନ୍ତି। ଏହାକୁ ସେ ଗୁଜବ କହିଛନ୍ତି। ଡ୍ରଗ୍‌ ମାଫିଆ ମିର୍ଚିଙ୍କର ୨୦୧୩ରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ହାଜ୍‌ରା ମେମନ ପ୍ରଫୁଲ୍ଲଙ୍କ ସହ ଜମିଜମା ଡିଲ୍‌ କରିଥିଲେ ବୋଲି ଅଭିଯୋଗ ହେଉଛି।
ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରଫୁଲ୍ଲଙ୍କ ମିଲେନିୟମ ଡେଭେଲପର୍ସ ପ୍ରା.ଲିଃ ୨୦୦୬-୦୭ରେ ସିଜୟ ହାଉସ୍‌ ନାମରେ ଏକ ଅଟ୍ଟାଳିକା ନିର୍ମାଣ କରିଥିଲା, ଯାହାର ତୃତୀୟ ଓ ଚତୁର୍ଥ ମହଲା ହାଜ୍‌ରାଙ୍କ ନାମରେ କରାଯାଇଛି। ମିଲେନିୟମ ଡେଭେଲପର୍ସ କମ୍ପାନୀ ତାଙ୍କ ପରିବାର ମାଲିକାନାରେ ରହିଛି ଏବଂ ସେଥିରେ କେହି ଅଂଶୀଦାର ନ ଥିବା ଏନ୍‌ସିପି ନେତା କହିଛନ୍ତି।

Share