ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କ ପରଲୋକ

କଟକ ଅଫିସ/ ବାଲିପାଟଣା, ୧୬ା୧ (ଡି.ଏନ.ଏ): ପୂର୍ବତନ ଲୋକ ସଭା ବାଚସ୍ପତି ରବି ରାୟଙ୍କ ସହଧର୍ମିଣୀ ତଥା ସାମାଜିକ କର୍ମୀ ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କର ଏସ୍‌ସିବି ମେଡିକାଲରେ ବୁଧବାର ଭୋର ପ୍ରାୟ ୫ଟା ୩୨ ମିନିଟରେ ପରଲୋକ ଘଟିଛିି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଗତ ୧ ତାରିଖରୁ ସେ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ଏସସିବି ମେଡିକାଲ କଲେଜ ଏବଂ ଭିଏସ୍‌ଏସ୍‌ ମେଡିକାଲରେ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ଚାକିରିରୁ ଅବସର ନେବା ପରେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିହାର୍ଡ ନାମରେ ଏକ ଏନ୍‌ଜିଓ ଗଠନ କରି ସ୍ବାସ୍ଥ୍ୟ ବିଭାଗ ସଂକ୍ରାନ୍ତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଥିଲେ। ଏଥିସହ ବସ୍ତିଗୁଡ଼ିକରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଯୋଗାଉଥିଲେ। ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ସହିତ ବହୁ ସାମାଜିକ ଆନ୍ଦୋଳନରେ ଜଡ଼ିିତ ଥିଲେ। ବାଲିପାଟଣା ବ୍ଲକ ଅଧୀନ ଭଅଁରା ନିଜିଗଡ଼ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ପୁତୁରା ସୌମ୍ୟ ରଞ୍ଜନ ରାୟ ମୁଖାଗ୍ନି ଦେଇଥିଲେ।
ବିହାର ମୁଖ୍ୟମନ୍ତ୍ରୀଙ୍କ ଶୋକ
ଡା. ସ୍ବାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରସ୍ବତୀ ସ୍ବାଇଁ ଡାକ୍ତର ରାମ ମନୋହର ଲୋହିଆଙ୍କର ଅନୁଗାମୀ ଥିଲେ। ସେ ଲୋକନାୟକ ଜୟପ୍ରକାଶ ନାରାୟଣ, ସ୍ବର୍ଗତ କର୍ପୂରୀ ଠାକୁର ଏବଂ ସ୍ବର୍ଗତ ମଧୁ ଲିମାୟେଙ୍କ ବିଚାରରେ ବିଶେଷ ପ୍ରଭାବିତ ହୋଇଥିଲେ। ସମାଜବାଦୀ ଆଦର୍ଶର ବିଭିନ୍ନ ଦିଗକୁ ମଜଭୁତ କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଥିଲା। ତାଙ୍କ ସହ ମୋର ବେଶ୍‌ ଆତ୍ମୀୟତା ଥିଲା। ତାଙ୍କ ପରଲୋକରେ ସମାଜବାଦ କ୍ଷେତ୍ର ସହିତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅପୂରଣୀୟ କ୍ଷତି ଘଟିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share