ପ୍ରଫେସର ଦତ୍ତେଶ୍ୱର ହୋତା ଏସ୍‌ସିବି ପ୍ରିନ୍ସିପାଲ

କଟକ ଅଫିସ,୧ା୭: ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ୪୯ତମ ଡିନ୍‌ ତଥା ପ୍ରିନ୍ସିପାଲ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ମଙ୍ଗଳବାର ଦାୟିତ୍ୱ ନେଇଛନ୍ତି। ଡା. ଜୟଶ୍ରୀ ମହାନ୍ତି ଅଧ୍ୟକ୍ଷ ପଦବୀରୁ ଅବସର ନେବା ପରେ ଡା. ହୋତାଙ୍କୁ ଡିଏମ୍‌ଇଟି ଏହି ନିଯୁକ୍ତି ଦେଇଛି। ୟୁରୋଲୋଜିରେ ପରବର୍ତ୍ତୀ ବିଭାଗୀୟ ମୁଖ୍ୟ ଯୋଗ ଦେବା ଯାଏ ସେ ଏହି ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ସେ ଗତ ୧୦ ବର୍ଷଧରି ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆର ଓଡ଼ିଶାରୁ ରାଜ୍ୟ ମନୋନୀତ ପ୍ରତିନିଧି ରହିଆସିଛନ୍ତି। ବିଭିନ୍ନ ସମୟରେ ସ୍ନାତକୋତ୍ତର କମିଟି ଓ ସ୍ଥାନାନ୍ତରୀକରଣ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାମ କରିଛନ୍ତି। ୨୦୦୯ରେ ତାଙ୍କ ପ୍ରଚେଷ୍ଟାରେ ଏସ୍‌ସିବିରେ ପ୍ରଥମ କରି ୟୁରୋଲୋଜି ବିଭାଗରେ ଏମ୍‌ସିଏଚ୍‌ (ମୂତ୍ରାଶୟ ବିଭାଗ ସ୍ନାତକୋତ୍ତର) ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ସେହିପରି ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାରେ ସରକାରୀ ହସ୍ପିଟାଲରେ କିଡ୍‌ନୀ ପ୍ରତିରୋପଣ ଆରମ୍ଭ ହୋଇଥିଲା ଓ ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ କିଡ୍‌ନୀ ପ୍ରତିରୋପଣ କରିସାରିଛନ୍ତି। କାଡାଭରିକ (ମୃତ୍ୟୁ ପରେ) ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଇବାରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ୨୦୧୭ରେ ଦ୍ୱିତୀୟ ଓଡ଼ିଆ ଭାବେ ସେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିଆଯାଉଥିବା ସବୁଠାରୁ ବଡ଼ ସମ୍ମାନ (ଡା. ବି.ସି. ରୟ) ଉପାଧି ଲାଭ କରିଥିଲେ। ଏହି ନିଯୁକ୍ତି ପରେ ଡାକ୍ତର ହୋତା ନିଜ ପ୍ରତିକ୍ରିୟାରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବା ଓ ମେଡିକାଲ ଶିକ୍ଷାର ମାନବୃଦ୍ଧିରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।

Share