Categories: ଖେଳ

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ କୋଲକାତା ମଲ୍‌ବାର କ୍ରିଷ୍ଟିଆନ କଲେଜର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ବଶିଷ୍ଠ ନୂଆବର୍ଷ ଉପଲକ୍ଷେ ଏକ ଭିନ୍ନ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି। ଏହି ବର୍ଷ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଫେସର ବଶିଷ୍ଠ ‘ରୋଡ୍‌ ଟୁ ଟୋକିଓ ୨୦୨୦’ ନାମରେ ଏକ କ୍ୟାଲେଣ୍ଡର ତିଆରି କରିଛନ୍ତି। ୧୨ ପୃଷ୍ଠା ସମ୍ବଳିତ ଏହି କ୍ୟାଲେଣ୍ଡରରେ ପ୍ରଫେସର ବଶିଷ୍ଠ ୧୮୯୬ରୁ ୨୦୧୬ ପର୍ଯ୍ୟନ୍ତ ଅଲିମ୍ପିକ୍ସର ଇତିହାସକୁ ଫଟୋ ସହିତ ସଂକ୍ଷେପରେ ଫୋକସ୍‌ କରାଯାଇଛି। କ୍ୟାଲେଣ୍ଡର ପ୍ରଥମ ପୃଷ୍ଠା ପ୍ରାଚୀନ ଅଲିମ୍ପିକ୍ସ ଉପରେ ଉଲ୍ଲେଖ ରହିଛି। ସେହିଭଳି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସମେତ ଅଲିମ୍ପିକ୍ସରେ ପଦକ ବିଜୟୀ ଭାରତୀୟ ଓ ୮ଟି ସ୍ବର୍ଣ୍ଣ ପଦକ ଜିତିଥିବା ହକି ଟିମ୍‌ ଉପରେ ମଧ୍ୟ ଏହି କ୍ୟାଲେଣ୍ଡରେ ଉଲ୍ଲେଖ କରାଯାଇଛି। ୧୯୩୬ ବର୍ଲିନ ଅଲିମ୍ପିକ୍‌ରେ ୪ ସ୍ବର୍ଣ୍ଣ ପଦକ ବିଜୟୀ ଜେସି ଓଏନ୍ସ, ୧୯୬୮ ମେକ୍ସିକୋ ସିଟି ଅଲିମ୍ପିକ୍‌ରେ ଲଙ୍ଗ୍‌ ଜମ୍ପ୍‌ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ରବର୍ଟ ବେମନ୍‌, ୧୯୭୨ ମ୍ୟୁନିକ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକା ସନ୍ତରଣକାରୀ ମାର୍କ ସ୍ପିଜ୍‌, ୫ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ରୋମାନିଆ ଜିମ୍ନାଷ୍ଟ ନାଡିଆ କମେନସିଆ ଓ ଆମେରିକାର କିମ୍ବଦନ୍ତୀ ସନ୍ତରଣକାରୀ ତଥା ଅଲିମ୍ପିକରେ ୨୩ ସ୍ବର୍ଣ୍ଣ ସହ ମୋଟ୍‌ ୨୮ ପଦକ ହାସଲ କରିଥିବା ମାଇକେଲ ଫେଲପ୍ସଙ୍କ ଉପରେ ସଂକ୍ଷେପରେ ଏହି କ୍ୟାଲେଣ୍ଡରରେ ବର୍ଣ୍ଣନା କରାଯାଇଛି। ଅଲିମ୍ପିକର ବିଭିନ୍ନ ଭେନ୍ୟୁ ଓ ମାସ୍କଟ୍‌କୁ ମଧ୍ୟ ଏଥିରେ ସ୍ଥାନ ପାଇଛି। ‘ବିଶ୍ୱ ଶାନ୍ତି ପାଇଁ ଅଲିମ୍ପିକ୍ସ’ ଏହି ବାର୍ତ୍ତାକୁ ପ୍ରଚାରିତ କରିବା ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ବୋଲି ପ୍ରଫେସର ବଶିଷ୍ଠ କହିଛନ୍ତି।

Share