ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ

କଟକ ଅଫିସ, ୧୨।୯: ଏନ୍‌ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ଅନର୍ସ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରି ସ୍ନାତକ ଡିଗ୍ରୀ ପାଇଥିବାବେଳେ ନ୍ୟୁୟର୍କ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ ଓ ପିଏଚ୍‌ଡି ଲାଭ କରିଥିଲେ। ସେ ଆଇଆଇଟି ଖଡଗପୁରରେ ପ୍ରଫେସର ଓ ଡିନ୍‌ ଭାବେ କାର୍ଯ୍ୟ କରିବା ସହିତ ବହୁ ବୃହତ ଶିଳ୍ପ ଉଦ୍ୟୋଗର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି। ଆଗାମୀ ୧୫ରେ ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ ପକ୍ଷରୁ ୫୨ତମ ଇଞ୍ଜିନିୟର ଦିବସ ପାଳନ ଉପଲକ୍ଷେ ଯୋବ୍ରାସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନଫର୍ମେଶନ ଟେକ୍ନୋଲୋଜି (ଆଇଏମ୍‌ଆଇଟି)ର ସମ୍ମିଳନୀ କକ୍ଷରେ ପ୍ରଫେସର ଷଡଙ୍ଗୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ଫୋରମର ଅଧ୍ୟକ୍ଷ ଡ. ପ୍ରଭାକର ସ୍ବାଇଁ, କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ. ବିମଳ ଚନ୍ଦ୍ର ଦାଶ, ଡ. ଭକ୍ତକବି ଦାସ ଏବଂ ସମ୍ପାଦକ ଇଂ. ଶିଶିର କୁମାର ସାହୁ ଏକ ମିଳିତ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

Share