ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡିକରେ ପ୍ରବାସୀଙ୍କୁ ରଖିବା ପାଇଁ ବିରୋଧ ହେଉଛି। ସିଙ୍ଗିପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଲୋକେ ବାଉଁଶ ବାନ୍ଧିଛନ୍ତି। ଗଞ୍ଜାମ ପୋଲିସ ପକ୍ଷରୁ ରାସ୍ତାରେ ଦ୍ରୁତ ଗତି ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟାରିକେଡ଼ ଟାଣିଆଣି ଲୋକେ ବିଦ୍ୟାଳୟ ବାଟରେ ରଖିଛନ୍ତି। ଆଗାମୀ ଦିନରେ ସିଙ୍ଗିପୁରରେ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନେଇ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଇଛି।ସୂଚନାଯୋଗ୍ୟ, ପୂର୍ବରୁ ଗ୍ରାମବାସୀ ସୁରଟ ଫେରନ୍ତାଙ୍କୁ ଧରି ଆସିଥିବା ଏକ ବସ୍‌କୁ ଫେରାଇ ଦେଇଥିଲେ। ଫଳରେ ଏହି ପଞ୍ଚାୟତକୁ ଆସିଥିବା ଲୋକଙ୍କୁ ଅନ୍ୟ ବ୍ଳକରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

Share