ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଡିଓଙ୍କ ନିଲମ୍ବନ ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଲଙ୍ଗଳେଶ୍ୱର, ୨୭।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା ଇତିମଧ୍ୟରେ ୧୩ ଦିନ ପୂରିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ କରି ମଙ୍ଗଳବାର ବାଲିଆପାଳ ସୂଚନା ଅଧିକାର ସଂଘ ନେତୃତ୍ୱରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅଧିକାର ସଂଘର ସଭାପତି ଅନୁଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭିଟାମାଟି ସୁରକ୍ଷାମଞ୍ଚର ଆବାହକ ଅରୁଣ ଜେନା, କୁଶଧ୍ୱଜ ଜେନା, ଆକବର ଶାହା, ଗୋପୀନାଥ ଗଙ୍ଗାଇ, ଅକ୍ଷୟ ଦାସ, ଦେବେନ୍ଦ୍ର ଦାସ, ଗୋପାଳ ମହାଳିକ ସେକ ଜଲାଲୁଦ୍ଦିନ ପ୍ରମୁଖ ବ୍ଲକ ସମ୍ମୁଖରେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଡିଓଙ୍କ ଏଭଳି ବ୍ୟବହାର ଠିକ୍‌ ନୁହେଁ ବୋଲି କହିବା ସହ ୨୪ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ। ବାଲେଶ୍ୱର ଜିଲାପାଳଙ୍କ ବଦଳରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଘଟଣାର ତଦନ୍ତ କରିଥିଲେ। ତେବେ ସେ କେବଳ ବିଡିଓଙ୍କ ବୟାନ ନେଇ ଫେରିଯାଇଥିବା ବେଳେ ଦୁର୍ବ୍ୟବହାରର ଶିକାର ହୋଇଥିବା ପ୍ରବାସୀ ଯୁବକଙ୍କର ବୟାନ ନେଇ ନ ଥିବାରୁ ତଦନ୍ତର ସ୍ବଚ୍ଛତାକୁ ନେଇ ସଂଘ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ପଞ୍ଚାୟତିରାଜ ବିଭାଗ ମଧ୍ୟ ଚୁପ୍‌ ବସିଛି। ତହସିଲଦାର ଦୀପକ କୁମାର ଦାସ ପହଞ୍ଚତ୍ ପ୍ରଶାସନ ପକ୍ଷରୁ ପଦେକ୍ଷପ ନିଆଯାଉଥିବା କହିବା ପରେ ବିକ୍ଷୋଭକାରୀମାନେ ଫେରିଥିଲେ।