ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିଲା ବସ୍‌, ଭାରସାମ୍ୟ ହରାଇ ଓଲଟିଲା

ଭଦ୍ରକ ଅଫିସ, ୪।୫: ଟ୍ରେନରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଗଞ୍ଜାମରୁ ଆଣିବା ପାଇଁ ଯାଉଥିବା ଏକ ଘରୋଇ ବସ୍‌ ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ସୋମବାର ଓଲଟି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଶୀର୍ବାଦ ନାମକ ଏହି ଘରୋଇ ବସ୍‌ ଟ୍ରେନ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ବାଲେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିଲା। ଭଣ୍ଡାରିପୋଖରୀ ଥାନା ଆସାମ ପେଟ୍ରୋଲ ଟାଙ୍କି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ କେବଳ ଡ୍ରାଇଭର ଓ ହେଲ୍‌ପର ଥିଲେ। ତେବେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।