ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍‌:  ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୩୦।୪(ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍‌ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ ନେଇ ଆସିଥିବା ୪ଟି ବସ୍‌ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବାର ଅଛି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଭୋରରେ ଅନ୍ୟ ୪ଟି ବସ୍‌ ସୁରଟର ଉଦ୍ଧାନରୁ ଓଡ଼ିଆ ଲୋକଙ୍କୁ ଧରି ଯାତ୍ରା ଆରମ୍ଭ କରିଛି। ଏହି ବସ ଗୁଡିକ ଜଗନ୍ନାଥପ୍ରସାଦ, ତାକରଡ଼ା ଏବଂ ଓଡ଼ଁଗାକୁ ଆସିବ। ସେହିପରି ରାତିରେ ସୁରଟର ବିଭିନ୍ନ ସ୍ଥାନରୁ ଆଉ ୧୫ଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିବ ବୋଲି ଜଣାପଡିଛି। ଏସବୁ ବସ୍‌ରେ ଗଞ୍ଜାମ, ଭଦ୍ରକ ଓ ମୟୁରଭଞ୍ଜ ଜିଲାକୁ ଲୋକେ ଫେରିବେ ବୋଲି ସୂଚନା ମିଳିଛି। ଏମାନେ ବହୁ କଷ୍ଟରେ ଚଳୁଥିବା ଓ ଧାର, କରଜ କରି ବସ୍‌ଭଡା ଯୋଗାଡ଼ କରି ଭିଟାମାଟିକୁ ଫେରୁଛନ୍ତି। ପ୍ରବାସୀ ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ସେମାନଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି ।
ସୁରଟରୁ ଓଡ଼ିଆମାନେ ନିଜ ଅଞ୍ଚଳକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ସେଠାରେ ଥିବା ବେଲଗୁଣ୍ଠା ବ୍ଲକ ବୋରି ଅଞ୍ଚଳର ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ସେ ହୃଦଘାତରେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ସୋମବାରଠୁ ଚିକିସତ୍ାଧୀନ ଥିଲେ ବୋଲି ଜଣାପଡିଛି। ଏପଟେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଜିଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବସ୍‌ ଗୁଡ଼ିକ ଗଞ୍ଜାମ ଜିଲା ସୀମା ଭିତରେ ପଶିବା ପରେ ସିଧା ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନିଆଯିବ। ସେଠାରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ୱାରାଣ୍ଟାନରେ ରଖାଯିବ। ବାଟରେ କୈଣସି ସ୍ଥାନରେ ବସ୍‌ ଅଟକିବ ନାହିଁ ।