ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି ପ୍ରବାସୀ। ଏଭଳି ସ୍ଥିତିରେ କେହି ଯେମିତି ଭୋକିଲା ନ ରହିବେ ସେନେଇ ବେଶ୍ ଯତ୍ନବାନ ହୋଇଛି ଭଦ୍ରକ ପୋଲିସ। ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚରମ୍ପା ଧାମରା ବ୍ରିଜ୍ ତଳେ ପୋଲିସ ପକ୍ଷରୁ ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ପ୍ରବାସୀମାନଙ୍କୁ ଏଠାରେ ଖାଦ୍ୟ ଯୋଗାଇବା ସହ ଗାଡ଼ିର ମଧ୍ୟ ବ୍ୟବସ୍ଥା କରୁଛି ପୋଲିସ। ଜିଲା ପୋଲିସର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।