ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-ବାଲେଶ୍ୱର ଦେଇ ଯାଉଥିବା ସମସ୍ତ ରାସ୍ତା ସମସ୍ତ ବନ୍ଦ ହୋଇଯାଇଥିଲା। ଏଥିସହ ଭଦ୍ରକଠାରେ ଉଭୟ ରାସ୍ତାରେ ଶହ ଶହ ଗାଡ଼ି ରହିଛି। ସୂଚନା ମୁତାବକ ଆନ୍ଧ୍ର, ଗୁଜରାଟ ଅଞ୍ଚଳରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ୩ଦିନ ଧରି ବିଭିନ୍ନ ଜିଲାର ହଜାର ହଜାର ପ୍ରବାସୀ ପହଞ୍ଚିଛନ୍ତି। ହେଲେ ସେମାନଙ୍କୁ ଖାଦ୍ୟ ପେୟ ଦିଆଯାଉ ନ ଥିବା ସହ ନିଜ ନିଜ ଜିଲାକୁ ପଠାଇବାକୁ ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ହଜାର ହଜାର ପ୍ରବାସୀ ଜାତୀୟ ରାଜପଥର ଉଭୟ ପାର୍ଶ୍ୱର ଲୋକାଲ ରୋଡ଼ ବନ୍ଦ କରି ରଖିଥିଲେ। ଗଞ୍ଜାମ, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ ଭଳି ୮ଟି ଜିଲାର ପ୍ରବାସୀ ଓଡ଼ିଆମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ୨ଘଣ୍ଟା ଧରି ଆଲୋଚନା କରିଥିଲେ ହେଲେ ବିଫଳ ହୋଇଥିଲେ। ପରେ ଅତିରିକ୍ତ ଜିଲାପାଳ
ଶ୍ୟାମ ଭକ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକୋ ହଟିଥିଲା।